ବାରୱେଲ ଖୋଳା ସ୍ଥାନକୁ ନେଇ ଦୁଇ ସାହି ମଧ୍ୟରେ ଉତ୍ତେଜନା, ଅଟକିଲା କାର୍ଯ୍ୟ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧିନ ମହିସାପଟ୍ଟା ପଞ୍ଚାୟତରେ ପାନୀୟଜଳ ସମସ୍ୟା ନେଇ ଉତ୍ତେଜନା ଦେଖାଦେଇଛି । ବୋରୱେଲ ଖୋଳା ଯାଉଥିବା ସ୍ଥାନ ଚୟନକୁ ନେଇ ଏଭଳି ଘଟଣା ଘଟିଛି ।
ସୂଚନା ଯେ, ନୀଳଗିରି ବ୍ଲକ ମହିସାପଟ୍ଟା ପଞ୍ଚାୟତ ଜାମବଣି ଗାଁରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟାକୁ ନେଇ ବିଗତ ଦିନରେ ଗଗରା, ବାଲତି ଧରି ରାସ୍ତାରୋକ କରିଥିଲେ । ଏନେଇ ସମସ୍ୟାର ସମାଧାନ ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ପକ୍ଷରୁ ନୂତନ ବୋରୱେଲ ଖୋଳିବା ପାଇଁ ଜାମ୍ବବଣିର ତଳସାହିରେ ମେସିନ ପହଞ୍ଚିଥିଲା । ଖନନ କାର୍ଯ୍ୟ କରୁଥିବା ବେଳେ ଉକ୍ତ ଗାଁର ଉପରସାହିର ଲୋକେ ଅନ୍ୟତ୍ର ସ୍ଥାନରେ ଖୋଲିବାକୁ ନେଇ ବିରୋଧ କରିଥିଲେ । ପାନୀୟ ଜଳର ବୋରୱେଲ ଖନନକୁ ନେଇ ଦୁଇ ସାହି ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଶତାଧିକ ଲୋକେ ମେସିନକୁ କିଛି ସମୟ ପାଇଁ ଅଟକ ରଖିଥିଲେ । ଗ୍ରାମର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଖବରପାଇ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ôଚବା ପରେ ପରିବେଶ ଶାନ୍ତ ହୋଇଥିଲା । ଉପର ସାହିରେ ବିଦ୍ୟୁତ୍ ସଂଯୋଗ ନଥିବା ବେଳେ ସେଠାରେ ବୋରୱେଲ ଖନନ କରାଗଲେ କିଛି ଉପକାର ହୋଇନଥାନ୍ତା ଓ ତଳସାହିରେ ପୂର୍ବତନ ଏମ୍ପି ଅର୍ଜୁନ ଚରଣ ସେଠୀ ସେଠାରେ ଏକ ବୋରୱଲ ଖନନ କରି ପାନୀୟ ଜଳ ଯୋଗାଉ ଥିବା ବେଳେ କାଳକ୍ରମେ ଏହା ଅଚଳ ହୋଇ ପଡ଼ିଥିବାରୁ ପାନୀୟ ଜଳର ସମସ୍ୟା ହେଉଥିଲା । ତଳସାହିରେ ବିଦ୍ୟୁତ୍ ସରବରାହ ରହିଥିବା ଯୋଗୁଁ ସେଠାରେ ବୋରୱେଲ ଖୋଳା ଯାଉଥିଲା । ଶେଷରେ ସ୍ଥାନୀୟ ସରପଞ୍ଚଙ୍କ ହସ୍ତକ୍ଷେପ ପରେ ଖନନ କାର୍ଯ୍ୟ ବନ୍ଦ କରି ରିଗ୍ ମେସିନକୁ ଫେରାଇ ଦିଆଯାଇଥିଲା । ପରେ ଉଭୟ ସାହିର ଲୋକ ମାନଙ୍କୁ ନେଇ ଏକ ବୈଠକ ଡକାଯାଇ ଶାନ୍ତି ପୂର୍ଣ୍ଣ ନିଷ୍ପତ୍ତି ପରେ ଖନନ କାର୍ଯ୍ୟ ଆରମ୍ଭ ହେବ ବୋଲି ସରପଞ୍ଚ ରବିନ୍ଦ୍ର ସିଂ ସୂଚନା ଦେଇଛନ୍ତି ।
