ଆଜିଠୁ ବଢ଼ିବ ତାପମାତ୍ରା! ୧୬ରୁ ବର୍ଷା, ଏହି ସବୁ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର : ରାଜ୍ୟରେ ପୁଣି ହେବ ବର୍ଷା । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୧୬ ତାରିଖରୁ ବର୍ଷା ହେବ । ଉତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ୧୬ ତାରିଖରୁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କିଛି କିଛି ଜିଲ୍ଲାରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହିଛି । ୧୫ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ରାତ୍ରି ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
✔️୧୬ ରୁ ପଶ୍ଚିମା ଝଡ଼ ପ୍ରଭାବ
— Meteorological Centre, Bhubaneswar (@mcbbsr) February 13, 2022
✔️ଆସନ୍ତା କାଲିଠାରୁ ବଢିବ ରାତ୍ରି ତାପମାତ୍ରା
✔️ ରାଜ୍ୟରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ରାତ୍ରି ତାପମାତ୍ରା ରେ ବୃଦ୍ଧି ସମ୍ଭାବନା
✔️୧୫ ଯାଏଁ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା
ଗତ ୨୪ ଘଂଟାରେ ରାଜ୍ୟର ସମସ୍ତ ଅଂଚଳରେ ପାଗ ଶୁଖିଲା ରହିଥିଲା । କନ୍ଧମାଳ, ମାଲକାନଗିରି, ଜଗତ୍ସିଂହପୁର, ଗଞ୍ଜାମ, ପୁରୀ ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି କିଛି ଅଂଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିବା ବେଳେ କୋରାପୁଟର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଉତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଂଚଳ, ଉତର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କେତେକ ଅଂଚଳରେ ରାତି ତାପମାତ୍ରା ହ୍ରାସ ପାଇଛି । ଫଳରେ ରାଜ୍ୟରେ ଶୀତ ବଢ଼ିଛି । ଆଉ ୩ ଦିନ ଭିତରେ ରାଜ୍ୟ ତାପମାତ୍ରା ୪ ଡିଗ୍ରି ଯାଏ ବୃଦ୍ଧି ପାଇବା ସହ ଶୀତ କମିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସେହିପରି ଗତ ୨୪ ଘଂଟାରେ ଉତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିଥିଲା । ଗତ ୨୪ ଘଂଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ଠାରେ ସର୍ବାଧିକ ୩୧.୨ଡିଗ୍ରି ରେକର୍ଡ ହୋଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ । ଆସନ୍ତା ୨୪ ଘଂଟାରେ ରାଜଧାନୀ ଭୁବନେଶ୍ୱର ସମେତ ଆଖପାଖ ଅଂଚଳର ପାଗ ଆଂଶିକ ମେଘୁଆ ରହିବ । ସକାଳୁ କିଛି ସ୍ଥାନରେ ପାଗ କୁହୁଡ଼ିଆ ରହିବ । ସର୍ବନିମ୍ନ ତାପମାତ୍ରା ୧୪ଡିଗ୍ରି ଓ ସର୍ବାଧିକ ୨୯ ଡିଗ୍ରି ମଧ୍ୟରେ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।
