ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା, ୧୫ ଓ ୧୬ରେ ଗ୍ରୀଷ୍ମପ୍ରବାହ
ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଛି । ପଶ୍ଚିମ ତଥା ଉତର ପଶ୍ଚିମ ଦିଗରୁ ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟକୁ ଶୁଷ୍କ ଏବଂ ଉତପ୍ତ ବାୟୁ ପ୍ରବାହ ସମ୍ଭାବନା ରହିଥିବାରୁ, ରାଜ୍ୟରେ ୨ରୁ ୩ଦିନ ମଧ୍ୟରେ ଦିନ ତାପମାତ୍ରା ରେ ୨ ରୁ ୩ଡ଼ିଗ୍ରୀ ବୃଦ୍ଧି ପାଇପାରେ । ସେହିପରି ୧୫ ଏବଂ ୧୬ ତାରିଖରେ କିଛି ଜିଲାରେ ଗ୍ରୀଷ୍ମପ୍ରବାହ ପରିସ୍ଥିତି ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୧୫ ତାରିଖ ଦିନ ରାଜ୍ୟର ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଦେଖାଦେଇପାରେ । ସେହିପରି ୧୬ ତାରିଖ ଦିନ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାରକିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲାମାନଙ୍କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଆଗାମୀ ୩ରୁ ୪ ଦିନ ଯାଏଁ ପଶ୍ଚିମ ତଥା ଉତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ଶୁଷ୍କ ଓ ଉତପ୍ତ ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ଦୁଇ ତିନି ଦିନ ଯାଏଁ ରାଜ୍ୟର ଦିନର ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ତେବେ ୧୫ ଓ ୧୬ ତାରିଖରେ କିଛି ଜିଲାରେ ଗ୍ରୀଷ୍ମ ପ୍ରବାହ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୫ ତାରିଖରେ ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୋଳ ଜିଲ୍ଲାରେ ସ୍ୱାଭାବିକ ତାପମାତ୍ରଠାରୁ ୪.୫ ଡିଗ୍ରୀ ଯାଏଁ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଠିକ୍ ସେହିପରି ୧୬ ତାରିଖରେ ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲାରେ ମଧ୍ୟ ଦିନର ତାପମାତ୍ର ବୃଦ୍ଧି ପାଇବ । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ପାଣିପାଗ ବିଜ୍ଞାନୀ ଶ୍ରୀ ଦାସ କହିଛନ୍ତି ।
