ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି, ୪୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରବାହ । ଅସହ୍ୟ ହେଉଛି ଗରମ । ତା’ ଉପରେ ଗୁଳୁଗୁଳି । ଅସ୍ତବ୍ୟସ୍ତ ହୋଇପଡ଼ିଛି ଧନଜୀବନ । ପ୍ରବଳ ଗରମରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ସେଥିରେ ବର୍ଷାର ବି ନାଁ ନାହିଁ । ଆଗକୁ ଅଧିକାଂଶ ସ୍ଥାନରେ ୩ରୁ ୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତିଯେ, ଖୋର୍ଦ୍ଧା ସମେତ କେନ୍ଦ୍ରୀୟ ଉପକୂଳ ଓ ଉତ୍ତର ଉପକୂଳରେ ତାପମାତ୍ରା ବଢ଼ିବ । ତାପମାତ୍ର ୪୦ ଡିଗ୍ରୀରୁ ଅଧିକ ରହିବ । ରାଜ୍ୟକୁ ବହୁଥିବା ପଶ୍ଚିମ ଗରମ ପବନ ଉପକୂଳ ଯାଏ ସିଧା ପ୍ରବାହିତ ହେବ । ଉପକୂଳରୁ ବହୁଥିବା ବଙ୍ଗୋପସାଗରୀୟ ଦକ୍ଷିଣା ପବନ ଦକ୍ଷିଣ ଉପକୂଳରେ ସୀମିତ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ୨୬ରୁ ଗରମ ଆହୁରି ବଢ଼ିବ । ଟିଟଲାଗଡ଼, ସୋନପୁର, ଅନୁଗୁଳ, ତାଳଚେର ଓ ବଲାଙ୍ଗୀରର କିଛି ସ୍ଥାନରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଟପିଯିବ ।
