ଟାଟା ସନ୍ସ ହାତକୁ ଗଲା ଏୟାର ଇଣ୍ଡିଆ
- ୧୮,୦୦୦କୋଟି ଟଙ୍କାରେ ଜିତିଲା ବିଡ୍
ନୂଆଦିିଲ୍ଲୀ : ଏୟାର ଇଣ୍ଡିଆକୁ ମିଳିଲା ନୂଆ ମାଲିକ । ଅନେକ ସଂଘର୍ଷ ପରେ ବିଡିଂରେ ସର୍ବାଧିକ ଡାକି ମାଲିକାନା ହାସଲ କରିଛି ଟାଟା ସନ୍ସ। ୬୮ ବର୍ଷ ପରେ ପୁଣି ଏୟାର ଇଣ୍ଡିଆର ମାଲିକାନା ଫେରିପାଇଲା ଟାଟା । ସ୍ପାଇସଜେଟର ଅଜୟ ସିଂଙ୍କୁ ପଛରେ ପକାଇ କମ୍ପାନି ଏହି ରାଷ୍ଟ୍ରାୟତ୍ତ ବିମାନ କମ୍ପାନିକୁ ୧୮,୦୦୦ କୋଟି ଟଙ୍କାରେ କିଣିଛି। ଏୟାର ଇଣ୍ଡିଆ ହାତକୁ ଆସିବା ପରେ ଏବେ ଟାଟା ସନ୍ସ ୩ଟି ଏୟାରଲାଇନ୍ସର ମାଲିକ ପାଲଟିଛି । ଜମି ସରକାରଙ୍କ ପାଖରେ ରହିବ। ଏୟାର ଇଣ୍ଡିଆର ପରିଚାଳନା ଦାୟିତ୍ୱ ଟାଟା ସମ୍ଭାଳିବ। ସେହିପରି ଟାଟା ସହ ଏହି ନିଲାମୀ ପ୍ରକ୍ରିୟାରେ ସ୍ପାଇସଜେଟ ମଧ୍ୟ ସାମିଲ ହୋଇଥିଲା। ଡିସେମ୍ବର ସୁଦ୍ଧା ସମସ୍ତ ଅଧିଗ୍ରହଣ କାମ ସାରିବାକୁ ଧାର୍ଯ୍ୟ କରାଯାଇଛି ବୋଲି ଦେଲେ କେନ୍ଦ୍ର ନିବେଶ ସଚିବ ତୁହିନକାନ୍ତ ପାଣ୍ଡେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।
ସୂଚନା ଯେ, ଟାଟା ଗ୍ରୁପ ସହ ସ୍ପାଇସଜେଟର ଅଜୟ ସିଂ ଏୟାର ଇଣ୍ଡିଆକୁ କିିଣିବା ପାଇଁ ଦୌଡ଼ରେ ଥିଲେ। ଏୟାର ଇଣ୍ଡିଆ ପାଇଁ ଟାଟା ସନ୍ସ ୧୮,୦୦୦ କୋଟି ଟଙ୍କାର ବିଡ୍ କରିଥିବା ବେଳେ ଅଜୟ ସିଂଙ୍କ ୧୫,୧୦୦ କୋଟି ଟଙ୍କାର ବିଡ୍ କରିଥିଲେ। ଏହା ପରେ ଟାଟା ସନ୍ସ ଅଜୟ ସିଂହଙ୍କଠାରୁ ୨,୯୦୦କୋଟି ଟଙ୍କାରେ ଆଗୁଆ ରହି ଏୟାର ଇଣ୍ଡିଆର ମାଲିକ ହୋଇପାରିଥିବା ଜଣାପଡ଼ିଛି। ଅନେକ ଦିନ ହେବ ଏୟାର ଇଣ୍ଡିଆର ନୂଆ ମାଲିକ କିଏ ହେବ? ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏହାର ଅବସାନ ଘଟିଛିି। ତେବେ ଏୟାର ଇଣ୍ଡିଆର ମାଲିକାନା ପାଇବା ପରେ ଟାଟା ସନ୍ସ ଏହାର ନାଁ ଏବଂ ଲୋଗୋକୁ ୫ବର୍ଷ ପର୍ଯ୍ୟନ୍ତ ବଦଳାଇପାରିବ ନାହିଁ। ଟାଟା ସନ୍ସ ଚାହିଁଲେ ୫ବର୍ଷ ପରେ ଏୟାର ଇଣ୍ଡିଆର ନାଁ ଏବଂ ଲୋଗୋକୁ ବଦଳାଇପାରିବ। କିନ୍ତୁ ଏଥିରେ ଏକ ସର୍ତ୍ତ ରଖାଯାଇଛି ଯେ, ଏହି ନାମ ଏବଂ ଲୋଗୋ କେବଳ ଭାରତୀୟ ସଂସ୍ଥା କିମ୍ବା ବ୍ୟକ୍ତିଙ୍କୁ ଦିଆଯାଇପାରିବ। କୌଣସି ବିଦେଶୀ ବ୍ୟକ୍ତି କିମ୍ବା ସଂସ୍ଥା ଏହାକୁ ନେଇପାରିବେ ନାହିଁ।
