ଭିଭୋ ବଦଳରେ ଆଇପିଏଲର ମୁଖ୍ୟ ପ୍ରାୟୋଜକ ହେବ ଟାଟା ଗ୍ରୁପ
ହାଇଦ୍ରାବାଦ : ଚାଇନିଜ ମୋବାଇଲ ନିର୍ମାତା କମ୍ପାନୀ ଭିଭୋ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ମୁଖ୍ୟ ପ୍ରାୟୋଜକରୁ ଓହରିଯାଇଛି । ଫଳରେ ବିଶ୍ବର ବିତ୍ତଶାଳୀ ଟି-୨୦ ଲିଗ୍ ଆଇପିଏଲକୁ ମିଳିବାକୁ ଯାଉଛି ନୂଆ ପ୍ରାୟୋଜକ । ଭିଭୋ ବଦଳରେ ଟାଟା ଗ୍ରୁପକୁ ମୁଖ୍ୟ ପ୍ରାୟୋଜକ ଭାବେ ଘୋଷଣା କରିଛି ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) । ମଙ୍ଗଳବାର ଅନୁଷ୍ଠିତ ଆଇପିଏଲର ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ବୈଠକ ଶେଷ ହେବାପରେ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଭାରତର ଅନ୍ୟତମ ବୃହତ୍ ବାଣିଜ୍ୟିକ ସମୂହ ଟାଟା ଗ୍ରୁପ ନୂଆ ମୁଖ୍ୟ ପ୍ରାୟୋଜକ ନେଇ ସ୍ପଷ୍ଟ କରିଛନ୍ତି । ପୂର୍ବ ଚୁକ୍ତି ଅନୁଯାୟୀ, ଲିଗ ସହିତ ପ୍ରାୟୋଜକ ଭାବେ ଭିଭୋ ଆହୁରି ଦୁଇବର୍ଷ ରହିବାର ଥିଲା । ମାତ୍ର ଏବେ ମୁଖ୍ୟ ପ୍ରାୟୋଜକ ହୋଇଛି ଟାଟା । ଫଳରେ ଲିଗ୍କୁ ଏବେ ଟାଟା ଆଇପିଏଲ ବୋଲି କୁହାଯିବ । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ୨୨୦୦ କୋଟି ଟଙ୍କା ଚୁକ୍ତିରେ ମୁଖ୍ୟ ପ୍ରାୟୋଜକ ଅଧିକାର ହାସଲ କରିଥିଲା ଭିଭୋ । ତେବେ ଗଲୱାନ ଭ୍ୟାଲିରେ ଭାରତୀୟ ସେନା ଓ ଚାଇନିଜ ସେନା ମୁହାଁମୁହିଁ ପରେ ଚାଇନିଜ ସ୍ମାର୍ଟଫୋନ ନିର୍ମାତାକୁ ୨୦୨୦ରେ ଗୋଟିଏ ବର୍ଷ ଆଇପିଏଲ ମୁଖ୍ୟ ପ୍ରାୟୋଜକରୁ ବିରତି ଦିଆଯାଇଥିଲା । ଡ୍ରୀମ ୧୧କୁ ଭିଭୋ ବଦଳରେ ପ୍ରାୟୋଜକ ମାନ୍ୟତା ମିଳିଥିଲା । ତେବେ ପରେ ବର୍ଷ ୨୦୨୧ ଆଇପିଏଲରେ ପୁନଃ ଆଇପିଏଲର ମୁଖ୍ୟ ପ୍ରାୟୋଜକ ଭାବେ ଫେରିଥିଲା । ଗୋଟିଏ ବର୍ଷ ବିରତି ହୋଇଥିବାରୁ ୫ବର୍ଷିଆ ଚୁକ୍ତିକୁ ଗୋଟିଏ ବର୍ଷ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ମଙ୍ଗଳବାର ପରିଚାଳନା ପରିଷଦ (ଜିସି) ବୈଠକରେ ନିଷ୍ପତ୍ତି ପରେ, ଟାଟା ଗ୍ରୁପ ୨୦୨୨ ଓ ୨୦୨୩ ସଂସ୍କରଣ ପାଇଁ ମୁଖ୍ୟ ପ୍ରାୟୋଜକ ରହିବ ।
