ପଞ୍ଜଶୀର ଦଖଲ ପାଇଁ ସାଧାରଣ ନାଗରିକଙ୍କୁ ହତ୍ୟା କରୁଛି ତାଲିବାନ
କାବୁଲ : ଆସ୍ତେ ଆସ୍ତେ ତାଲିବାନ ତାର କ୍ରୁରତା ଦେଖାଉଛି । ଗତ ଅଗଷ୍ଟ ୧୫ରୁ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିସାରିଥିଲେ ହେଁ ଏ ପର୍ଯ୍ୟନ୍ତ ପଞ୍ଜଶୀର ଉପତ୍ୟକାକୁ ଦଖଲ କରିପାରି ନାହିଁ । ଏପର୍ଯ୍ୟନ୍ତ ୬୦% ପଞ୍ଜଶୀର ଉପତ୍ୟକା ରେଜିଷ୍ଟାନ୍ସ ଫୋର୍ସ ହାତରେ ରହିଥିବା ବେଳେ ଏହାକୁ ଦଖଲ କରିବା ପାଇଁ ଯୁଦ୍ଧ ଜାରି ରହିଛି । ଫଳରେ ଏହାକୁ ନିଜ ଅକ୍ତିଆରରେ ନେବା ପାଇଁ ତାଲିବାନ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଆରମ୍ଭ କରିଦେଇଛି ।
ଏହି ପରିପ୍ରେକ୍ଷୀରେ ଆଫଗାନିସ୍ତାନର ପଞ୍ଜଶୀର ଉପତ୍ୟକାରେ ତାଲିବାନର ବର୍ବରତା ଦେଖିବାକୁ ମିଳିଛି । କ୍ଷମତାକୁ ଆସିବାର ମାସେ ନପୁରୁଣୁ ଅତି କମରେ ୨୦ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛି ତାଲିବାନ। ପୀଡିତଙ୍କ ମଧ୍ୟରେ ଜଣେ ଦୋକାନୀ ଥିବା ଜଣାପଡ଼ିଛି।ମୃତ୍ୟୁ ପୂର୍ବରୁ ଦୋକାନୀଜଣକ ତାଲିବାନକୁ କହିଥିଲେ ଯେ, ମୁଁ କେବଳ ଜଣେ ଗରିବ ଦୋକାନ ମାଲିକ ଏବଂ ଯୁଦ୍ଧ ସହିତ ମୋର କୌଣସି ସମ୍ପର୍କ ନାହିଁ । ଏହା କହିବା ସତ୍ତ୍ୱେ ମଧ୍ୟ ତାଲିବାନମାନେ ରେଜିଷ୍ଟାନ୍ସ ଫୋର୍ସକୁ ସିମ୍ ବିକିଥିବା ଅଭିଯୋଗରେ ଦୋକାନୀଙ୍କୁ ଗିରଫ କରିଥିଲେ। କିଛି ଘଣ୍ଟା ପରେ ଦୋକାନୀଙ୍କ ମୃତଦେହ ତାଙ୍କ ଘର ଆଗରେ ପଡ଼ିଥିବା ଦେଖାଯାଇଥିଲା । ସୂଚନା ଯେ, ଗତ ମାସରେ ଅନ୍ତର୍ଜାତୀୟ ସୁରକ୍ଷା ବାହିନୀ ଯିବା ପରେ ତାଲିବାନ ପ୍ରତିଶ୍ରୁତି ଦେଇଥିଲା ଯେ, କ୍ଷମତାକୁ ଆସିଲେ ଦେଶରେ ଶାନ୍ତି ଆସିବ। କାହାକୁ ହତ୍ୟା କରାଯିବ ନାହିଁ। କିନ୍ତୁ ଏବେ ତାହାର ଠିକ ବିପରୀତ ହେଉଥିବା ଦେଖିବାକୁ ମିଳୁଛି।
