ଟି-୨୦ ବିଶ୍ୱକପ୍ : ଦକ୍ଷିଣ ଆଫ୍ରିକାକୁ ୧୪୪ ରନର ବିଜୟ ଲକ୍ଷ୍ୟ ଦେଲା ଓ୍ବେଷ୍ଟଇଣ୍ଡିଜ୍
ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଟି-୨୦ ବିଶ୍ୱକପ୍ ଗ୍ରୁପ-୧ର ଏକ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ୧୪୩ ରନ କରିଛି । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୧୪୪ ରନର ବିଜୟ ଲକ୍ଷ୍ୟ ରହିଛି ।
ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜଦଳ ଆରମ୍ଭରୁ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲା । ଓପନର ଏଭିନ ଲୁଇସ ମାତ୍ର ୩୫ ବଲରେ ୫୬ରନ କରିଥିଲେ । ଲେଣ୍ଡି ସାଇମନ୍ସ ୧୬ ଓ କେରନ ପୋଲାର୍ଡ ୨୬ରନ କରିଥିଲେ । ତାରକା ବ୍ୟାଟ୍ସମ୍ୟାନ କ୍ରିସ ଗେଲ ମାତ୍ର ୧୨ ରନ କରି ଆଉଟ ହୋଇଥିଲେ । ତେବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳର ରନଗତି ଧୀମେଇ ଯାଇଥିଲା ଓ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୩ ରନ କରିପାରିଥିଲା । ସୂଚନା ଯେ, ଦୁବାଇ ପିଚରେ ପଛରେ ବ୍ୟାଟିଂ କରୁଥିବା ଦଳ ସୁବିଧାଜନକ ସ୍ଥିତିରେ ରହୁଥିବାରୁ ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା କୁହାଯାଉଛି । ପିଚରେ ଟିକିଏ ଘାସ ଥିବାରୁ ତାହା ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲରଙ୍କୁ ସୁହାଇବ । ଦ୍ବିତୀୟ ଇନିଂସରେ ଏହା ବ୍ୟାଟିଂ ପାଇଁ ଅନୁକୂଳ ରହିବ । ତେବେ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡିକକ୍ ଖେଳୁନାହାନ୍ତି । ସେହିପରି ଉଭୟ ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ନିଜ ନିଜର ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଥିଲେ । ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆଠାରୁ ପରାଜୟ ବରଣ କରିଥିବାବେଳେ ଓ୍ବେଷ୍ଟ ଇଣ୍ଡିଜକୁ ଇଂଲଣ୍ଡ ହରାଇଥିଲା । ଏଣୁ ଏହି ମ୍ୟାଚ ଜିତି ନିଜର ବିଜୟ ଅଭିଯାନ ଆରମ୍ଭ କରିବାକୁ ଉଭୟ ଉଦ୍ୟମ କରିବେ ।
