ଟି ୨୦ ବିଶ୍ୱକପ : ଇଂଲଣ୍ଡକୁ ୧୯୦ ରନ ବିଜୟ ଲକ୍ଷ ଦେଲା ଦକ୍ଷିଣ ଆଫ୍ରିକା
ସାରଜା : ଟି-୨୦ ବିଶ୍ୱକପ ଗ୍ରୁପ-୧ର ଦ୍ବିତୀୟ ମ୍ୟାଚ ଆଜି ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କର ବା ମର ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୨ ଓ୍ବିକେଟ ହରାଇ ୧୮୯ ରନ ସଂଗ୍ରହ କରିଛି । ଦଳ ପକ୍ଷରୁ ଭାନ୍ ଡର ଦୁସେନ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଶାଳ ସ୍କୋର ଦେଇଛନ୍ତି । ଇଂଲଣ୍ଡକୁ ଜିତିବାକୁ ହେଲେ ୧୯୦ ରନ କରିବାକୁ ହେବ । ତେବେ ବଡ କଥା ହେଉଛି ଦକ୍ଷିଣ ଆଫ୍ରିକାକୁ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ଇଂଲଣ୍ଡକୁ ୧୩୦ ରନ ଭିତରେ ଅଲଆଉଟ କିମ୍ବା ରୋକିବାକୁ ହେବ । ଇଂଲଣ୍ଡ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇସାରିଛି । ତେଣୁ ଏହି ମ୍ୟାଚରେ ଇଂଲଣ୍ଡ ଦଳ ଉପରେ କୌଣସି ଫରକ ପଡୁନଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ବିଜୟୀ ହେବା ସହ ନେଟ୍ ରନ୍ରେଟ୍ ବେଶ ଆବଶ୍ୟକତା ରହିଛି ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ରିଜା ହେନରିକସ୍ ମାତ୍ର ୨ ରନ କରି ଆଉଟ ହୋଇଥିଲେ । ପରେ କ୍ବିଣ୍ଟନ ଡି କକ୍ ବଡ ସ୍କୋର କରିନଥିଲେ ସୁଦ୍ଧା ୩୪ ରନର ସମ୍ମାନଜନକ ସ୍କୋର କରି ଆଉଟ ହୋଇଛନ୍ତି । ପରେ ଭାନ୍ ଡର ଦୁସେନ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୬୦ ବଲରୁ ୫ ଚୌକା ଏବଂ ୬ ଛକା ସହାୟତାରେ ୯୪ ରନ କରି ଅପରାଜିତ ଅଛନ୍ତି । ସେହିଭଳି ଆଡେନ୍ ମାର୍କରମ୍ ୫୨ ରନ କରି ଅପରାଜିତ ଅଛନ୍ତି । ଇଂଲଣ୍ଡର ବୋଲରମାନେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ମୋଇନ ଅଲ୍ଲୀ ୪ ଓଭରରେ ୨୭ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, କ୍ରିସ୍ ଓ୍ବକସ୍ ୪ ସଭରରେ ୪୩ ରନ, ଆଦିଲ ରସିଦ ୪ ଓଭରରେ ୩୨ରନ ୧ ଓ୍ବିକେଟ, କ୍ରିସ ଜୋର୍ଡନ୍ ୪ ଓଭରରେ ୩୬ ରନ ଏବଂ ମାର୍କ ଉଡ୍ ୪ ଓଭରରେ ୪୭ରନ ଦେଇଛନ୍ତି ।
