ଟି-୨୦ ବିଶ୍ୱକପ୍ : ଆଫଗାନିସ୍ତାନ ବିପକ୍ଷରେ ୫ ଓ୍ବିକେଟରେ ଜିତିଲା ପାକିସ୍ତାନ
ଦୁବାଇ : ଟି-୨୦ ବିଶ୍ୱକପ୍ ଗ୍ରୁପ-୨ର ଏକ ରୋମାଞ୍ଚକର ମ୍ୟାଚରେ ଆଫଗାନିସ୍ତାନ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଆଫଗାନିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କଲା ପାକିସ୍ତାନ। ଏହି ବିଜୟ ସହ ପାକିସ୍ତାନ ନିଜର ଅପରାଜେୟ ରେକର୍ଡ ବଜାୟ ରଖିଛି । ତେବେ ଶକ୍ତିଶାଳୀ ପାକିସ୍ତାନ ସହ ଲଢେଇ କରି ଆଫଗାନିସ୍ତାନ ସମସ୍ତଙ୍କ ହୃଦୟ ଜିତିଛି । ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୧୪୭ ରନର ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ ପାକିସ୍ତାନ ଗୋଟିଏ ଓଭର ବାକି ଥାଇ ଜିତିନେଇଥିଲା । ପାକିସ୍ତାନ ପକ୍ଷରୁ ବାବର ଆଜମ ୫୧, ଫକର ଜମାନ ୩୦ ଓ ଆସିଫ ଅଲି ୨୫ରନ କରିଥିଲେ ।
ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆଫଗାନିସ୍ତାନ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୪୭ ରନ । ପାକିସ୍ତାନକୁ ଜିତିବାକୁ ହେଲେ ୧୪୮ ରନ କରିବାକୁ ହେବ । ପାକ୍ର ଶାଣିତ ବୋଲିଂକୁ ସାମ୍ନା କରି ଫାଇଟିଂ ଟୋଟାଲ ସ୍କୋର କରିବାରେ ସକ୍ଷମ ହୋଇଛି ଆଫଗାନିସ୍ତାନ । ଆଫଗାନିସ୍ତାନ ପକ୍ଷରୁ ଅଧିନାୟକ ମହମ୍ମଦ ନବୀ ଏବଂ ଗୁଲାବୁଦ୍ଦୀନ ନଇବ ଶେଷରେ ଦମଦାର ବ୍ୟାଟିଂ କରିଛନ୍ତି । ଉଭୟ ୮ ଓ୍ବିକେଟ ପାଇଁ ୭୦ ରନର ପାର୍ଟନରସିପ୍ କରିଛନ୍ତି । ଓପନର ହଜତୁଲ୍ଲା ଜାଜାଇ ଖାତା ଖୋଲିବାରେ ସକ୍ଷମ ହୋଇନଥିଲେ । ମହମ୍ମଦ ସେହଜାଦ ୮ରନ କରି ଆଉଟ ହୋଇଥିବା ବେଳେ, ଗୁରବାଜ୍ ୧୦, ଅସଗର ଅଫଗାନ୍ ୧୦, କରିମ୍ ଜନ୍ନତ ୧୫, ନଜୀବୁଲ୍ଲା ଜାଦରନ୍ ୨୨ ରନ କରି ଆଉଟ ହୋଇଛନ୍ତି । ମହମ୍ମଦ ନବୀ ଏବଂ ଗୁଲାବୁଦ୍ଦୀନ ନଇବ ୩୫ ରନ କରି ଅପରାଜିତ ଅଛନ୍ତି । ପାକିସ୍ତାନ ପକ୍ଷରୁ ସାହିନ ଆଫ୍ରିଦୀ ୪ ଓଭରରେ ୨୨ ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ, ଇମାଦ ଓ୍ବାସିମ୍ ୪ ଓଭରରେ ୨୫ ରନ ୨ ଓ୍ବିକେଟ୍, ହାରିଫ୍ ରୌଫ୍ ୪ ଓଭରରେ ୩୭ରନ ୧ ଓ୍ବିକେଟ, ହାସନ ଅଲ୍ଲୀ ୪ ଓଭରରେ ୩୮ ରନ ୧ ଓ୍ବିକେଟ ଏବଂ ସଦାବ ଖାନ ୪ ଓଭରରେ ୨୨ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।
