ଟି-୨୦ ବିଶ୍ୱକପ୍ : ଭାରତକୁ ୮ ୱିକେଟ୍ରେ ହରାଇଲା ନ୍ୟୁଜିଲାଣ୍ଡ, ଭାରତର ସେମିଫାଇନାଲ ଆଶା ମଉଳିଳା
ଦୁବାଇ : ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ରେ ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଭାରତ ପୁଣି ଥରେ ପରାଜିତ ହୋଇଛି। ଭାରତକୁ ୮ ୱିକେଟ୍ରେ ହରାଇଲା ନ୍ୟୁଜିଲାଣ୍ଡ । ପାକିସ୍ତାନ ବିପକ୍ଷ ମ୍ୟାଚ୍ଠୁ ବି ଆହୁରି ଶୋଚନୀୟ ପ୍ରଦର୍ଶନ। ନା ବ୍ୟାଟିଂ ନା ବୋଲିଂ ସବୁଥିରେ ଫେଲ୍ ମାରିଲା ବିରାଟ ବାହିନୀ। ଆଇପିଏଲରେ ହିରୋ ପାଲଟୁଥିବା ଭାରତୀୟ ଖେଳାଳି ବିଶ୍ଵ କପ୍ରେ ଅତ୍ୟନ୍ତ ନିମ୍ନମାନର ପ୍ରଦର୍ଶନ କରିଛନ୍ତି। ଟି-୨୦ ବିଶ୍ଵ କପରେ ନିଜର ଖରାପ ପ୍ରଦର୍ଶନ ଜାରି ରଖି ସୁପର-୧୨ ରାଉଣ୍ଡର ଦ୍ଵିତୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ହାତରୁ ପରାଜୟବରଣ କରିଛି ଭାରତ। ଏଥିସହ କିଓ୍ଵି ଦଳ ବିରୋଧରେ ନିଜର ପରାଜୟଧାରା ବଜାୟ ରଖିଛି ଭାରତ। ବୋଲରଙ୍କ ଶାଣିତ ବୋଲିଂ ପରେ ଡାର୍ଲି ମିଚେଲ୍ଙ୍କ ୪୯ ରନ ଇନିଂସ ବଳରେ ଭାରତକୁ ୮ ଓ୍ଵିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ପରାଜୟ ସହ ସେମି ଫାଇନାଲ୍ ଦୌଡରୁ ପ୍ରାୟତଃ ବାଦ୍ ପଡିଛି କହିଲେ ଚଳେ ଭାରତ। ଅନ୍ୟପଟେ ବି ଗ୍ରୁପରେ ନିଜର ସ୍ଥିତି ମଜବୁତ କରିଛି ନ୍ୟୁଜିଲାଣ୍ଡ।
ଏହି ମ୍ୟାଚ୍ରେ ଟସ୍ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବ୍ୟାଟିଂ କରିଥିଲା। ତେବେ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଭାରତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୧୦ ରନ୍ କରିଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଇନିଂସ ଆରମ୍ଭ କରିଥିଲେ କେଏଲ୍ ରାହୁଲ ଓ ଇଶନ କିଶନ। ଭାରତ ୧୧ ରନ୍ରେ ନିଜର ପ୍ରଥମ ୱିକେଟ ଭାବେ ଇଶନ କିଶନଙ୍କୁ ହରାଇଥିଲା। ଯୁବ କ୍ରିକେଟର ଇଶନ କିଶନ ୮ଟି ବଲ୍ର ସାମ୍ନା କରି କେବଳ ଗୋଟିଏ ଚୌକା ସହାୟତାରେ ୪ ରନ୍ କରି ପାଭଲିଅନ୍ ଫେରିଯାଇଥିଲେ। ନ୍ୟୁଜିଲାଣ୍ଡର ୨ୟ ଶିକାର ହୋଇଥିଲେ କେଏଲ୍ ରାହୁଲ। ୧୬ ଟି ବଲ ଖେଳି ରାହୁଲ ଦଳ ପାଇଁ ୧୮ ରନ୍ ଯୋଡ଼ିଥିଲେ। ଏଥିରେ ୩ଟି ଚୌକା ସାମିଲ ଥିଲା। ରୋହିତ ଶର୍ମା ୧୪ଟି ବଲ୍ର ସମ୍ମୁଖୀନ ହୋଇ ୧୪ ରନ୍ କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ପରେ କ୍ରିଜକୁ ଆସି ଅଧିନାୟକ ବିରାଟ କୋହଲି ମଧ୍ୟ ନ୍ୟୁଜିଲାଣ୍ଡର ବୋଲରଙ୍କ ଆଗରେ ବିଫଳ ହୋଇଥିଲେ। କୋହଲି ୧୭ଟି ବଲ୍ର ସମ୍ମୁଖୀନ ହୋଇ ମାତ୍ର ୯ ରନ୍ ସଂଗ୍ରହ କରିଥିଲେ। ଏଥିରେ କୌଣସି ଚୌକା ଅଥବା ଛକା ମଧ୍ୟ ସାମିଲ ନଥିଲା। ଟିମ୍ ଇଣ୍ଡିଆ ପାଇଁ ଋଷଭ ପନ୍ତ ବ୍ୟକ୍ତିଗତ ଭାବେ ୧୨ ରନ୍ କରିଥିଲେ। ଏଥି ପାଇଁ ସେ ୧୯ଟି ବଲ୍ର ସମ୍ମୁଖୀନ ହୋଇଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୪ଟି ବଲ୍ ଖେଳି ୨୩ ରନ୍ କରିଥିଲେ। ଏଥିରେ ସେ ଗୋଟିଏ ଚୌକା ମାରିଥିଲେ। ଶାର୍ଦ୍ଦୁଲ ଠାକୁର ୩ଟି ବଲ୍ ଖେଳି କୌଣସି ରନ୍ ନକରି ପାଭଲିଅନ୍କୁ ଫେରିଥିଲେ। ରବୀନ୍ଦ୍ର ଜାଦେଜା ଦଳପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୨୬ ରନ୍ ସଂଗ୍ରହ କରିଥିଲେ। ସେ ଅପରାଜିତ ରହି ପାଭଲିଅନ୍କୁ ଫେରିଥିଲେ।
ନ୍ୟୁଜିଲାଣ୍ଡ ପାଇଁ ମାର୍ଟିନ ଗପଟିଲ ଓ ଡାରିଏଲ ମିଚେଲ ଇନିଂସ ଆରମ୍ଭ କରିଥିଲେ। ଉଭୟ ଆରମ୍ଭରୁ ଭଲ ଖେଳିଥିଲେ। କ୍ବିୱି ଦଳ ୨୪ ରନ୍ରେ ଗପ୍ଟିଲ (୨୦ ରନ୍)ଙ୍କୁ ହରାଇଥିଲା। ଜସପ୍ରୀତ ବୁମରାଙ୍କ ବଲ୍ରେ ଶାର୍ଦ୍ଦୁଲ ଠାକୁରଙ୍କ ଦ୍ବାରା କ୍ୟାଚ ଆଉଟ୍ ହେବା ପୂର୍ବରୁ ଗପଟିଲ ୧୭ଟି ବଲ୍ ଖେଳି ୩ଟି ଚୌକା ସହାୟତାରେ ଏହି ରନ୍ କରିଥିଲେ। ନ୍ୟୁଜିଲାଣ୍ଡକୁ ୯୬ ରନ୍ରେ ଦ୍ବିତୀୟ ଝଟକା ଲାଗିଥିଲା। ମିଚେଲ ଅର୍ଦ୍ଧଶତକ ହାସଲ କରିବା ପୂର୍ବରୁ ଜସପ୍ରୀତ ବୁମରାଙ୍କ ବଲ କେଏଲ୍ ରାହୁଲଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ। କିନ୍ତୁ ସେ ପାଭଲିଅନକୁ ଫେରିବା ପୂର୍ବରୁ ଦଳକୁ ମଜବୁତ ସ୍ତରକୁ ନେଇଯାଇଥିଲେ। ସେ ୩୫ଟି ବଲ ଖେଳି ୪ ଚୌକା ଓ ୩ ଛକା ବଳରେ ୪୯ ରନ୍ କରିଥିଲେ। ତେବେ ଓପନର ଦ୍ବୟଙ୍କ ଭଲ ପ୍ରଦର୍ଶନ ଫଳରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ସହଜରେ ଜିତିଛି। ଅଧିନାୟକ କେନ୍ ୱିଲିୟମ୍ସନ୍ ଅପରାଜିତ ୩୩ ରନ୍ କରିଥିଲେ। ଏଥିରେ ସେ ୩୧ଟି ବଲ ଖେଳି ୩ଟି ଚୌକା ମାରିଥିଲେ। ସାଥୀ ଖେଳାଳି ଡେଭନ କେନୱେ ୪ଟି ବଲ୍ ଖେଳି ୨ ରନ୍ କରିଥିଲେ ଓ ଅପରାଜିତ ପାଭଲିଅନ୍ ଫେରିଥିଲେ।


