ଟି-୨୦ ବିଶ୍ୱକପ୍ : ନ୍ୟୁଜିଲାଣ୍ଡକୁ ଟକ୍କର ଦେବ ଇଣ୍ଡିଆ, ମ୍ୟାଚ ନ ଜିତିଲେ ସେମିଫାଇନାଲ୍ ଆଶା ମଉଳିବ
ଦୁବାଇ : ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ରେ ରବିବାର ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଆଉ କିଛି ସମୟ ପରେ ଆରମ୍ଭ ହେବ ଏହି ମ୍ୟାଚ । ଟି-୨୦ ବିଶ୍ୱକପ୍ରେ ନିଜ ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଦଳ । କାରଣ ଉଭୟ ଦଳ ନିଜର ପ୍ରଥମ ମ୍ୟାଚ ପାକିସ୍ତାନଠୁ ପରାସ୍ତ ହୋଇରୁ ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ମ୍ୟାଚରେ ଯେଉଁ ଦଳ ଜିତିବ ତାର ସେମିଫାଇନାଲ ଖେଳିବା ଆଶା ବଢିବ । କାରଣ ବିଶ୍ବକପ୍ର ପରବର୍ତ୍ତୀ ତିନିଟି ମ୍ୟାଚ୍ରେ ଉଭୟ ଦଳ ସ୍କଟଲାଣ୍ଡ, ନାମିବ୍ୟା ଓ ଆଫଗାନିସ୍ତାନକୁ ଭେଟିବେ। ଏମାନଙ୍କ ମଧ୍ୟରୁ ଆଫ୍ଗାନିସ୍ତାନ ଯେକୌଣସି ବିପର୍ଯ୍ୟୟ ସୃଷ୍ଟି କରିବାକୁ ପୂରା ସକ୍ଷମ। ତେବେ ନିଜ ଅଭିଜ୍ଞତା ତଥା ଖେଳାଳିଙ୍କ ଦକ୍ଷତା ଓ ସାମର୍ଥ୍ୟ ଦୃଷ୍ଟିରୁ ଭାରତ ଓ ନ୍ୟୁଜିଲାଣ୍ଡ ଏମାନଙ୍କୁ ହରାଇ ଦେବାର ସମ୍ଭାବନା ଅଧିକ। ପୂର୍ବରୁ ପାକିସ୍ତାନ ଆପାତତଃ ସେମିଫାଇନାଲ୍ ଟିକେଟ ପାଇସାରିଥିବାରୁ ଗୁପ୍-୨ର ବଳକା ଗୋଟିଏ ସ୍ଥାନ ପାଇଁ ଭାରତ ସମେତ ଅନ୍ୟ ୪ ଦଳ ମଧ୍ୟ ଦୌଡ଼ରେ ରହିଛନ୍ତି। ଭାରତ ଭଳି ନ୍ୟୁଜିଲାଣ୍ଡ ବି ନିଜ ପ୍ରଥମ ମ୍ୟାଚ୍ରେ ପାକିସ୍ତାନଠାରୁ ହାରିଛି। ଏଣୁ ଦୁଇଟି ଯାକ ଦଳ ବିଜୟଧାରାକୁ ଫେରିବା ସହ ପଏଣ୍ଟ୍ ଖାତା ଖୋଲିବାକୁ ଆପ୍ରାଣ ଉଦ୍ୟମ କରିବେ। ସେହିଭଳି ବିଶ୍ବକପ୍ ଭଳି ବଡ଼ ପ୍ରତିଯୋଗିତାରେ ଲଗାତାର ପରାଜୟର ଅପଯଶକୁ ଏଡ଼ାଇବାକୁ ନିଜ ନିଜର ସମସ୍ତ ଶକ୍ତି ଖଟାଇଦେବେ।
ଟି-୨୦ କ୍ରିକେଟ୍ରେ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ଭାରତ ବିପକ୍ଷରେ ବେଶ୍ ଭଲ ରହିଛି । ରେକର୍ଡ ଅନୁସାରେ, ୨୦୦୭ରୁ ୨୦୨୦ ମଧ୍ୟରେ ଉଭୟ ଦଳ ୧୬ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି । ଭାରତ ୬ଟି ଓ ନ୍ୟୁଜିଲାଣ୍ଡ ୮ଟି ଜିତିଛି ଏବଂ ୨ଟି ମ୍ୟାଚ୍ ଟାଏ ରହିଛି । ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ହାର ରହିଛି ୫୬.୨୫ ପ୍ରତିଶତ । ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ସବୁବେଳେ ଭାରତ ବିପକ୍ଷରେ ଶକ୍ତିଶାଳୀ ରହି ଆସିଛି ।ଯଦି ପୂର୍ବ ରେକର୍ଡ ବିଶ୍ଳେଷଣ କରାଯାଏ ତେବେ ଦେଖିବାକୁ ମିଳିବ ଯେ, ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ନ୍ୟୁଜିଲାଣ୍ଡ ୮ ୱିକେଟ୍ରେ ବିଜୟୀ ହୋଇଥିଲା । ୨୦୧୯ ଦିନିକିଆ ବିଶ୍ୱକପ୍ରେ ଦୁଇ ଦଳ ସେମି ଫାଇନାଲରେ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍ରେ ଭାରତ ୧୮ ରନ୍ରେ ପରାଜିତ ହୋଇ ଫାଇନାଲ ସ୍ୱପ୍ନ ଧୂଳିସାତ୍ କରିଥିଲା । ୨୦୧୬ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ୪୭ ରନ୍ରେ ବିଜୟୀ ହୋଇଥିଲା । ସେହିପରି ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ମଧ୍ୟ ନ୍ୟୁଜିଲାଣ୍ଡ ଚମତ୍କାର ପ୍ରଦର୍ଶନ କରି ମ୍ୟାଚ୍ ଜିତିଥିଲା । ଭାରତ ଏହି ମୁକାବିଲାରେ ୧୦ ରନ୍ରେ ପରାଜିତ ହୋଇଥିଲା । ୨୦୦୩ ଦିନିକିଆ ବିଶ୍ୱକପ୍ରେ ୭ ୱିକେଟ୍ରେ ଭାରତ ବିଜୟୀ ହୋଇଥିଲା । ଆଇସିସି ଟୁର୍ଣ୍ଣାମେଣ୍ଟରେ ଗତ ୫ଟିରୁ ନ୍ୟୁଜିଲାଣ୍ଡ ୪ଟି ଜିତିଥିବାବେଳେ ଭାରତ ମାତ୍ର ଗୋଟିଏ ମ୍ୟାଚ୍ ଜିତିବାରେ ସଫଳ ରହିଛି । ପାକିସ୍ତାନ ଠାରୁ ପରାଜିତ ହେବା ପରେ ଭାରତୀୟ ଦଳ ଏବଂ ପେସ୍ ତାରକା ମହମ୍ମଦ ସାମି ଘୋର ନିନ୍ଦିତ ହୋଇଥିଲେ । ଏହା ସତ୍ତେ୍ୱ ବି ପୂର୍ବ ଦଳ ଅପରିବର୍ତ୍ତିତ ରହିବ ବୋଲି ଆଶା କରାଯାଉଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍ ରହିଛନ୍ତି । ନେଟ୍ସରେ ସେ ବୋଲିଂ କରୁଥିବାର ଦେଖିବାକୁ ମିଳୁଛି । ତେଣୁ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଉଭୟ ଭୂମିକାରେ ଅବତୀର୍ଣ୍ଣ ହେବେ ।ପାକିସ୍ତାନ ବିପକ୍ଷ ତ୍ରୁଟି ସୁଧାରି ଦଳ ଭାରତ ବିପକ୍ଷରେ ପ୍ରଭାବଶାଳୀ ପ୍ରଦର୍ଶନ କରିବା ନେଇ ପ୍ରସ୍ତୁତ ରହିଛି । ଦୁବାଇ ମଇଦାନରେ ଆସନ୍ତାକାଲି ଏକ ବଡ଼ ମୁକାବିଲା ଦେଖିବାକୁ ମିଳିବ ।
ସୂଚନା ଯେ, ଏହି ମ୍ୟାଚରେ ଟସ୍ର ବଡ଼ ଭୂମିକା ରହିଛି । ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ରେ ପୁନର୍ବାର ଟସ୍ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇବ। ରାତିରେ କାକର ପଡ଼ିବାର ଆଶଙ୍କା ଥିବାରୁ ଟସ୍ ଜିତିବା ଦଳ ପ୍ରତିପକ୍ଷକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବାର ସମ୍ଭାବନା ଅଧିକ। ପାକିସ୍ତାନ ବିପକ୍ଷରେ କୋହଲି ଟସ୍ ହାରିବା କ୍ଷଣ ହିଁ ପ୍ରତିପକ୍ଷ ଅଧିନାୟକ ବାବର ଆଜମ ଭାରତକୁ ବ୍ୟାଟିଂ କରିବାକୁ ଡାକିଥିଲେ। ରାତିରେ ଭାରତୀୟ ବୋଲରମାନେ ସଂଘର୍ଷ କରିବା ସହ ପାକିସ୍ତାନ ସହଜ ବିଜୟ ହାସଲ କରିଥିଲା। ଏଣୁ କୋହଲିଙ୍କୁ ରବିବାର ଟସ୍ ବେଳେ ଭାଗ୍ୟଶାଳୀ ହେବାକୁ ହେବ। ନଚେତ ନ୍ୟୁଜିଲାଣ୍ଡ ଫାଇଦାରେ ରହିବ। ଅନ୍ୟପକ୍ଷରେ ଆଇସିସି ପ୍ରତିଯୋଗିତାଗୁଡ଼ିକର କଥା ବିଚାରକୁ ନେଲେ ସ୍ପଷ୍ଟ ହୋଇଯାଏ ଯେ ଅଣ୍ଡରଡଗ୍ ନ୍ୟୁଜିଲାଣ୍ଡ ଗତ ୧୮ ବର୍ଷ ହେବ ଭାରତକୁ ପାଣି ପିଆଇ ଆସୁଛି। ଅର୍ଥାତ୍ ୨୦୦୩ ଏକଦିବସୀୟ ବିଶ୍ବକପ୍ ପରଠାରୁ ଭାରତ କୌଣସି ଆଇସିସି ପ୍ରତିଯୋଗିତାରେ ଆଜି ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡକୁ ହରାଇ ପାରିନି। ନିକଟ ଅତୀତ କଥା କହିଲେ ଇଂଲଣ୍ଡରେ ଆୟୋଜିତ ୨୦୧୯ ଏକଦିବସୀୟ ବିଶ୍ବକପ୍ ଏବଂ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ରେ ନ୍ୟୁଜିଲାଣ୍ଡ ସଫଳତାର ସହ ତାରକା ଖଚିତ ଭାରତକୁ ଚିତ୍ କରିସାରିଛି। ଟି-୨୦ କ୍ରିକେଟ୍ କଥା ପଡ଼ିଲେ ଏଥିରେ ବି ଭାରତଠାରୁ ନ୍ୟୁଜିଲାଣ୍ଡ ଆଗୁଆ ରହିଛି। ଉଭୟ ଦଳ ୧୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ନ୍ୟୁଜିଲାଣ୍ଡ ସେଥିରୁ ୮ ମ୍ୟାଚ୍ ଜିତିଥିଲା ବେଳେ ଭାରତ ୬ ମୁକାବିଲାରେ ବିଜୟୀ ହୋଇଛି।
