ଟି-୨୦ ବିଶ୍ୱକପ୍ : ନ୍ୟୁଜିଲାଣ୍ଡକୁ ୧୧୧ ରନ୍ର ବିଜୟ ଲକ୍ଷ୍ୟ ଦେଲା ଭାରତ
ଦୁବାଇ : ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ରେ ରବିବାର ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଟସ ଜିତି ନ୍ୟୁଜିଲାଣ୍ଡ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ଆରମ୍ଭରୁ ଜବରଦସ୍ତ ଝଟକା ଲାଗିଥିଲା । ନ୍ୟୁଜିଲାଣ୍ଡର ଧୂଆଁଧାର ବୋଲିଂରେ ଟିମ୍ ଇଣ୍ଡିଆର ଓପନର ବ୍ୟାଟସମ୍ୟାନ୍ ଘାଇଲା ହୋଇଛନ୍ତି। ପାୱାର ପ୍ଲେ ବି ଦମ୍ ଦେଖାଇ ପାରିନଥିଲା ଭାରତ। ଭାରତ ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୧୦ ରନ୍ କରିଛି। ଫଳରେ ନ୍ୟୁଜିଲାଣ୍ଡକୁ ୧୧୧ ରନ୍ ବିଜୟ ଲକ୍ଷ୍ୟ ମିଳିଛି।
ଟିମ୍ ଇଣ୍ଡିଆ ପକ୍ଷରୁ ଇନିଂସ ଆରମ୍ଭ କରିଥିଲେ କେଏଲ୍ ରାହୁଲ ଓ ଇଶନ କିଶନ। ଭାରତ ୧୧ ରନ୍ରେ ନିଜର ପ୍ରଥମ ୱିକେଟ ଭାବେ ଇଶନ କିଶନଙ୍କୁ ହରାଇଥିଲା। ଯୁବ କ୍ରିକେଟର ଇଶନ କିଶନ ୮ଟି ବଲ୍ର ସାମ୍ନା କରି କେବଳ ଗୋଟିଏ ଚୌକା ସହାୟତାରେ ୪ ରନ୍ କରି ପାଭଲିଅନ୍ ଫେରିଯାଇଥିଲେ। ନ୍ୟୁଜିଲାଣ୍ଡର ୨ୟ ଶିକାର ହୋଇଥିଲେ କେଏଲ୍ ରାହୁଲ। ୧୬ ଟି ବଲ ଖେଳି ରାହୁଲ ଦଳ ପାଇଁ ୧୮ ରନ୍ ଯୋଡ଼ିଥିଲେ। ଏଥିରେ ୩ଟି ଚୌକା ସାମିଲ ଥିଲା। ରୋହିତ ଶର୍ମା ୧୪ଟି ବଲ୍ର ସମ୍ମୁଖୀନ ହୋଇ ୧୪ ରନ୍ କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଅଧିନାୟକ ବିରାଟ କୋହଲି ମଧ୍ୟ ନ୍ୟୁଜିଲାଣ୍ଡର ବୋଲରଙ୍କ ଆଗରେ ବିଫଳ ହୋଇଥିଲେ। କୋହଲି ୧୭ଟି ବଲ୍ର ସମ୍ମୁଖୀନ ହୋଇ ମାତ୍ର ୯ ରନ୍ ସଂଗ୍ରହ କରିଥିଲେ। ଏଥିରେ କୌଣସି ଚୌକା ଅଥବା ଛକା ମଧ୍ୟ ସାମିଲ ନଥିଲା। ଟିମ୍ ଇଣ୍ଡିଆ ପାଇଁ ଋଷଭ ପନ୍ତ ବ୍ୟକ୍ତିଗତ ଭାବେ ୧୨ ରନ୍ କରିଥିଲେ। ଏଥି ପାଇଁ ସେ ୧୯ଟି ବଲ୍ର ସମ୍ମୁଖୀନ ହୋଇଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୪ଟି ବଲ୍ ଖେଳି ୨୩ ରନ୍ କରିଥିଲେ। ଏଥିରେ ସେ ଗୋଟିଏ ଚୌକା ମାରିଥିଲେ। ଶାର୍ଦ୍ଦୁଲ ଠାକୁର ୩ଟି ବଲ୍ ଖେଳି କୌଣସି ରନ୍ ନକରି ପାଭଲିଅନ୍କୁ ଫେରିଥିଲେ। ରବୀନ୍ଦ୍ର ଜାଦେଜା ଦଳପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୨୬ ରନ୍ ସଂଗ୍ରହ କରିଥିଲେ। ସେ ଅପରାଜିତ ପାଭଲିଅନ୍କୁ ଫେରିଥିଲେ।
