ଟି-୨୦ ବିଶ୍ୱକପ୍ : ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା
- ୨୦୦୩ ପରଠୁ ଜିତିନି ଭାରତ, ପ୍ରତିଶୋଧ ନେବ କି ଟିମ୍ ଇଣ୍ଡିଆ
ଦୁବାଇ : ଆଜି ଟି-୨୦ ବିଶ୍ୱକପର କର ବା ମର ମ୍ୟାଚ୍ରେ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଭାରତୀୟ କ୍ରିକେଟ୍ ଦଳ। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଠାରୁ ପ୍ରଥମ ମ୍ୟାଚ୍ ହାରି ବ୍ୟାକଫୁଟରେ ଥିବା ଭାରତକୁ ବିଜୟ ଜରୁରୀ। ନ୍ୟୁଜିଲ୍ୟାଣ୍ଡ ମଧ୍ୟ ପାକିସ୍ତାନ ଠାରୁ ପ୍ରଥମ ମ୍ୟାଚ୍ରେ ହାରିଥିଲା। ତେଣୁ ଉଭୟ ଟିମ୍ ପାଇଁ ଆଜିର ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ। ସାଧାରଣତଃ ଚର୍ଚ୍ଚାରୁ ଦୂରେଇ ରହୁଥିବା ନ୍ୟୁଜିଲାଣ୍ଡ ଆଇସିସି ଇଭେଣ୍ଟ ଗୁଡ଼ିକରେ ଭାରତ ପାଇଁ ସବୁବେଳେ ବଡ଼ ବିପଦ ଭାବେ ଉଭା ହୋଇଛି। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ହେଉକି ୨୦୧୯ ବିଶ୍ବକପ୍ ସେମିଫାଇନାଲ୍, ନ୍ୟୁଜିଲାଣ୍ଡ ବଡ଼ ମ୍ୟାଚ୍ରେ ଭାରତକୁ ହରାଇବାର ଅନେକ ଉଦାହରଣ ରହିଛି। ଏଣୁ ନିଜ ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭିଯାନର ପ୍ରଥମ ମୁକାବିଲାରେ ପାକିସ୍ତାନଠାରୁ ୧୦ ୱିକେଟ୍ରେ ହାରିଥିବା ଭାରତୀୟ ଦଳକୁ ବିଜୟ ଖାତା ଖୋଲିବାକୁ ହେଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ।
ନ୍ୟୁଜିଲାଣ୍ଡ ସବୁବେଳେ ବ୍ୟକ୍ତିଗତ ଚମକ ଅପେକ୍ଷା ଦଳଗତ ପ୍ରଦର୍ଶନ ଉପରେ ନିର୍ଭରଶୀଳ ଥାଏ। ଯାହା ଏହି ଦଳକୁ ଅଧିକ ବିପଜ୍ଜନକ କରିଥାଏ। ସେଥିପାଇଁ ଆଇସିସି ପ୍ରତିଯୋଗିତାଗୁଡ଼ିକରେ ନ୍ୟୁଜିଲାଣ୍ଡ ସବୁବେଳେ ସ୍ଥିର ପ୍ରଦର୍ଶନ ଦେଇ ଆସିଛି। ଏପରିକି ୨୦୦୩ ମସିହାରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡକୁ ହରାଇବା ପରଠାରୁ ଆଇସିସି ପ୍ରତିଯୋଗିତାଗୁଡ଼ିକରେ ଭାରତ ଆଉ ନ୍ୟୁଜିଲାଣ୍ଡକୁ ହରାଇନି। ସେବେଠାରୁ ନ୍ୟୁଜିଲାଣ୍ଡ ସମ୍ମୁଖରେ ଖେଳିଥିବା ପ୍ରତ୍ୟେକ ଆଇସିସି ଇଭେଣ୍ଟ ମ୍ୟାଚ୍ରେ ଭାରତ ପରାଜିତ ହୋଇ ଆସିଛି। ଟି-୨୦ରେ ମଧ୍ୟ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ଢେର ଭଲ ରହିଛି। ଉଭୟ ଦଳ ପରସ୍ପର ବିପକ୍ଷରେ ୧୬ ଟ୍ବେଣ୍ଟି-୨୦ ଖେଳିଥିଲା ବେଳେ ସେଥିମଧ୍ୟରୁ ନ୍ୟୁଜିଲାଣ୍ଡ ୮ ଏବଂ ଭାରତ ମାତ୍ର ୬ ମ୍ୟାଚ୍ ଜିତିଛି। ଗତ କିଛି ବର୍ଷ ହେବ ଆଇସିସି ପ୍ରତିଯୋଗିତାରେ ଭାରତୀୟ ଦଳର ଦୁର୍ବଳ ପ୍ରଦର୍ଶନ ନ୍ୟୁଜିଲାଣ୍ଡକୁ ଅଧିକ ଉତ୍ସାହିତ କରିବ। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଗ୍ରୁପ୍-୨ରେ ଭାରତ ସହ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ପାକିସ୍ତାନ, ସ୍କଟଲାଣ୍ଡ ଓ ନାମିବ୍ୟା ଅଛନ୍ତି। ସେଥିମଧ୍ୟରୁ ଶୀର୍ଷ ଦୁଇ ଦଳ ସେମିଫାଇନାଲ୍ରେ ପ୍ରବେଶ କରିବେ। ଯଦି ନ୍ୟୁଜିଲାଣ୍ଡକୁ ହରାଇବାକୁ ଭାରତ ଅସମର୍ଥ ହୁଏ, ତାହାଲେ ଶୀର୍ଷ ୪ ଦୌଡ଼ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହେବ।
ପ୍ରଥମଥର ପାଇଁ ୨୦୦୭ରେ ଆଇସିସି ଟି-୨୦ ବିଶ୍ୱକପ ଖେଳାଯାଇଥିଲା। ଭାରତ ଚାମ୍ପିୟନ ମଧ୍ୟ ହୋଇଥିଲା। କିନ୍ତୁ ଲିଗ୍ ପର୍ଯ୍ୟାୟରେ ଭାରତକୁ ନ୍ୟୁଜିଲ୍ୟାଣ୍ଡ ଠାରୁ ୧୦ ରନ୍ରେ ପରାସ୍ତ କରିଥିଲା। ୧୯୧ ରନ୍ର ଟାର୍ଗେଟ ପାଇଥିବା ଭାରତ ପାଇଁ ଗୌତମ ଗମ୍ଭୀର ଓ ବୀରେନ୍ଦ୍ର ସେହୱାଗ ୫.୪ ଓଭର୍ରେ ୭୬ ରନ୍ ଯୋଡ଼ିଥିଲେ। କିନ୍ତୁ ଡାନିଏଲ ଭେଟ୍ଟୋରୀଙ୍କ ଘାତକ ବୋଲିଂ ଯୋଗୁ ଭାରତ ୧୦ ରନ୍ ପଛରେ ରହି ଯାଇଥିଲା। ସେହିପରି ୨୦୧୬ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ଟ୍ରଫି ଜିତିବାର ପ୍ରବଳ ଦାବିଦାର ଥିଲା। କାରଣ ବିଶ୍ୱକପ ଭାରତରେ ଅନୁଷ୍ଠିତ ହେଉଥିଲା। ଏପରି କି ଦଳ ସେମିରେ ମଧ୍ୟ ପ୍ରବେଶ କରିଥିଲା। ହେଲେ ନାଗପୁରରେ ଖେଳା ଯାଉଥିବା ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଏକତରଫା ଭାବେ ଭାରତକୁ ହରାଇ ଦେଇଥିଲା। ନ୍ୟୁଜିଲ୍ୟାଣ୍ଡ ୧୨୬ ରନ୍ କରିଥିବା ବେଳେ ଭାରତ ମାତ୍ର ୭୯ ରନ୍ର ଅଲଆଉଟ ହୋଇଯାଇଥିଲା। ସେହିପରି ୨୦୧୯ ଦିନିକିଆ ବିଶ୍ୱକପରେ ବର୍ଷା ଯୋଗୁ ଦିନିକିଆ ସେମି ଫାଇନାଲ ଦୁଇ ଦିନ ଖେଳା ଯାଇଥିଲା। ଗୋଟିଏ ପଟେ ଭାରତ ଥିବା ବେଳେ ଅନ୍ୟପଟେ ଥିଲା ନ୍ୟୁଜିଲ୍ୟାଣ୍ଡ। ଭାରତକୁ ମାତ୍ର ୨୪୦ ରନ୍ର ଟାର୍ଗେଟ ମିଳିଥିବାରୁ ବିରାଟ କୋହଲିଙ୍କ ଦଳ ଜିତିବ ବୋଲି କୁହାଯାଉଥିଲା। ହେଲେ କ୍ୱିୱି ଟିମ୍ ବିପକ୍ଷରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶେଷରେ ଦଳକୁ ପରାଜୟବରଣ କରିବାକୁ ପଡ଼ିଥିଲା। ପରେ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ବର୍ଷା ଯୋଗୁ ଫାଇନାଲ ସଂରକ୍ଷଣ ଦିବସକୁ ଯାଇଥିଲା। ଭାରତ ଦ୍ୱିତୀୟ ଇନିଂସ୍ରେ ମାତ୍ର ୧୭୦ ରନ୍ କରିବା ପରେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ କରିଥିଲା। ମ୍ୟାଚ୍ର ଶେଷ ଦିନରେ ନ୍ୟୁଜିଲ୍ୟାଣ୍ଡ ୨ ୱିକେଟ ହରାଇ ଧାର୍ଯ୍ୟ ୧୩୯ ରନ୍ର ଟାର୍ଗେଟକୁ ହାସଲ କରି ନେଇଥିଲା। ଏଥିସହ ଭାରତର ଟ୍ରଫି ଜିତିବାର ସ୍ୱପ୍ନ ଅଧା ରହି ଯାଇଥିଲା।
