ଟି-୨୦ ବିଶ୍ୱକପ୍ : ନାମ୍ବିଆକୁ ୧୬୧ ରନ୍ର ବିଜୟ ଲକ୍ଷ୍ୟ ଦେଲା ଆଫ୍ଗାନିସ୍ତାନ
ଆବୁଧାବି : ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ର ୨୭ତମ ମ୍ୟାଚ୍ରେ ରବିବାର ଆଫ୍ଗାନିସ୍ତାନ ଓ ନାମ୍ବିଆ ମୁହାଁମୁହିଁ ହୋଇଛନ୍ତି। ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଆଫ୍ଗାନିସ୍ତାନ ଟସ୍ ଜଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ ହରାଇ ୧୬୦ ରନ ସଂଗ୍ରହ କରିଛି ଦଳ । ଫଳରେ ନାମ୍ବିଆକୁ ଏହି ମ୍ୟାଚ୍ ବିଜୟ ପାଇଁ ୧୬୧ ରନ୍ର ଲକ୍ଷ୍ୟ ମିଳିଛି।
ଆଫଗାନିସ୍ତାନ ପକ୍ଷରୁ ଦୁଇ ଓପନିଂ ଯୋଡି ହଜ୍ରତୁଲ୍ଲା ଜଜାଇ ଓ ମହମ୍ମଦ ଶହଜାଦ୍ ଇନିଂସ ଆରମ୍ଭ କରିଥିଲେ। ପ୍ରଥମ ଓ୍ଵିକେଟ ପାଇଁ ଉଭୟ ଖେଳାଳି ଭଲ ସ୍କୋର କରିଥିଲେ। ଟିମ୍ ୫୩ ରନ୍ରେ ହଜ୍ରତୁଲ୍ଲାଙ୍କୁ ହରାଇ ଥିଲା। ହଜ୍ରତୁଲ୍ଲା ବ୍ୟକ୍ତିଗତ ଭାବେ ୩୩ ରନ୍ କରିଥିଲେ। ସେ ୨୭ଟି ବଲ ଖେଳି ୪ଟି ଚୌକା ଓ ୨ଟି ଛକା ସାହାଯ୍ୟରେ ଏହି ରନ୍ ଯୋଡ଼ିଥିଲେ। ସେ ଆଉଟ୍ ହୋଇଯିବା ପରେ ରହମ୍ମୁଲା ଗୁରବାଜ୍ (୪ ରନ୍)ପଡ଼ିଆକୁ ପ୍ରବେଶ କରିଥିଲେ। ମାତ୍ର ରହମ୍ମୁଲା ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜରେ ରହିପାରି ନଥିଲେ। ମହମ୍ମଦ ଶହଜାଦ୍ ଆଫଗାନିସ୍ତାନ ପାଇଁ ସର୍ବାଧିକ ୪୫ ରନ୍ ଯୋଡ଼ିଥିଲେ। ସେ ୩୩ଟି ବଲ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଦଳ ପାଇଁ ଅସ୍ଗର ଆଫ୍ଗାନ୍ ୨୩ଟି ବଲ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୩୧ ରନ୍ ସଂଗ୍ରହ କରିଥିବା ବେଳେ ମହମ୍ମଦ ନବି ଅପରାଜିତ ୩୨ ରନ୍ କରିଥିଲେ। ନବି ୧୭ଟି ବଲ ଖେଳି ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ନାମ୍ବିଆ ପକ୍ଷରୁ ରୁବେନ୍ ଟ୍ରମ୍ପେଲମନ୍ନ ୪ ଓଭରରେ ୩୧ ରନ ଦେଇ ୨ଟି ଓ୍ବିକେଟ ନେଇଥିବା ବେଳେ, ଜେଜେ ସ୍ମିଟ୍ ୩ ଓଭରରେ ୨୨ ରନ ୧ ଓ୍ବିକେଟ, ଡେଭିଡ୍ ଓ୍ବାଇସ୍ ୪ ଓଭରରେ ୩୩ ରନ, ଜାନ୍ ପ୍ରାଇଲିଙ୍କ୍ ୩ ଓଭରରେ ୨୪ରନ, ନିକୋଲ ଲୋଫ୍ଟି ୪ ଓଭରରେ ୨୧ ରନ ୨ ଓ୍ବିକେଟ, ବର୍ଣ୍ଣାଡ୍ ସ୍କୋଲଜ୍ ୧ ସଭରରେ ୮ରନ ଏବଂ ଗେରହାଡ୍ ଏରାସମସ୍ ୧ ସଭରରେ ୭ରନ ଦେଇଛନ୍ତି ।
