ଟି-୨୦ ବିଶ୍ୱକପ : ବାଂଲାଦେଶକୁ ୧୦୪ ରନରେ ହରାଇ ପ୍ରଥମ ବିଜୟ ହାସଲ କଲା ଦକ୍ଷିଣ ଆଫ୍ରିକା
ସିଡନୀ : ଚଳିତ ଟି-୨୦ ବିଶ୍ୱକପରେ ଗୁରୁବାର ବାଂଲାଦେଶକୁ ହରାଇ ପ୍ରଥମ ବିଜୟ ହାସଲ କଲା ଦକ୍ଷିଣ ଆଫ୍ରିକା। ବର୍ଷା ଯୋଗୁ ଜିତିବା ମ୍ୟାଚ୍ରେ ଜିମ୍ବାୱେ ସହ ପଏଣ୍ଟ ବାଣ୍ଟିଥିବା ଦକ୍ଷିଣ ଆଫ୍ରିକା ଗୁରୁବାର ଅନୁଷ୍ଠିତ ଗ୍ରୁପ୍ -୨ ସୁପର ୧୨ ମ୍ୟାଚରେ ବାଂଲାଦେଶକୁ ବଡ଼ ବ୍ୟବଧାନରେ ହରାଇଛି । ରିଲି ରୁସୋଙ୍କ ରେକର୍ଡ ଶତକ ବଳରେ ବାଂଲାଦେଶକୁ ଏକତରଫା ଭାବେ ୧୦୪ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା। ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକାର ଏହା ପ୍ରଥମ ବିଜୟ । ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚରେ ନେଦରଲାଣ୍ଡ୍ସକୁ ହରାଇଥିଲା ।
ରୁସୋ ୫୬ ବଲରେ ୧୦୯ ରନର ଇନିଂସ ଖେଳିଥିବା ବେଳେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୦୫ ରନ କରିଥିଲା। ଏହାର ଜବାବରେ ବାଂଲାଦେଶ ୧୬.୩ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୦୧ ରନ ହିଁ କରିପାରିଛି। ଏହି ମ୍ୟାଚ୍କୁ ୧୦୪ ରନରେ ଜିତିବା ପରେ ଦକ୍ଷିଣ ଆଫ୍ରିକାର ନେଟ ରନ ରେଟ୍ ଯୁକ୍ତ ୫+ ହୋଇଯାଇଛି। ଯାହା ପରବର୍ତ୍ତୀ ଅବସ୍ଥାରେ ଦଳକୁ ସେମି ଫାଇନାଲକୁ ଯିବାରେ ସହାୟତା କରିବ। ରୁସୋ ଦକ୍ଷିଣ ଆଫ୍ରିକା ପାଇଁ ବିଶ୍ୱକପରେ ଶତକ ହାସଲ କରିବାର ପ୍ରଥମ କ୍ରିକେଟ ବନିଛନ୍ତି। ସେହିପରି ପରି ଚଳିତ ବିଶ୍ୱକପରେ ସେ ପ୍ରଥମ କ୍ରିକେଟର ଭାବେ ଶତକ ମଧ୍ୟ ହାସଲ କରିଛନ୍ତି। ରୁସୋ ମାତ୍ର ୫୨ ବଲରେ ନିଜର ଶତକ ହାସଲ କରିଥିଲେ। ଏଥିରେ ୭ଟି ଚୌକା ଓ ୭ଟି ଛକା ରହିଥିଲା। ଶତକ ହାସଲ କରିବା ପରେ ସେ ଆଉ ଗୋଟିଏ ଛକା ମାରିଥିଲେ। ଏହାର ଅର୍ଥ ୧୦୯ ରନର ଇନିଂସରେ ରୁସୋ ୮ଟି ଛକା ଓ ୭ଟି ଚୌକା ମାରିଛନ୍ତି।
ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଶୀଘ୍ର ଅଧିନାୟକ ତେମ୍ବା ବଭୁମା (୨)ଙ୍କ ଓ୍ବିକେଟ୍ ହରାଇଥିଲା । ହେଲେ ଏହା ପରେ କ୍ୱିଣ୍ଟନ୍ ଡି କକ୍ ଏବଂ ରୁସୋ ଛକା-ଚୌକା ବର୍ଷା କରି ବାଂଲାଦେଶର ହୋସ୍ ଉଡ଼ଇ ଦେଇଥିଲେ । ଉଭୟ ଦ୍ବିତୀୟ ଓ୍ବିକେଟ୍ ପାଇଁ ୧୬୮ ରନ୍ ଭାଗିଦାରୀ କରିଥିଲେ, ଯାହା ବିଶ୍ବକପରେ ଯେକୌଣସି ଦଳ ପାଇଁ ଏକ ରେକର୍ଡ । ଡି କକ୍ ୬୩ ରନ୍ ରୁସୋ ମାତ୍ର ୫୨ ବଲରେ ନିଜ ଶତକ ପୂରଣ କରିଥିଲେ । ଏହା ତାଙ୍କ କ୍ୟାରିୟରର ଦ୍ବିତୀୟ ଶତକ । ଅନ୍ୟମାନଙ୍କ ମଧ୍ୟରେ ଆଡେନ ମାର୍କ୍ରାମ ୧୦, ଟ୍ରିଷ୍ଟାନ୍ ଷ୍ଟବ୍ସ ୭ ରନ୍ କରି ଆଉଟ୍ ହୋଇଥିଲେ । ଡେଭିଡ ମିଲର ୨ ଓ ୱେନ ପାର୍ନେଲ କୌଣସି ରନ୍ ନ କରି ଅପରାଜିତ ରହିଥିଲେ । ବାଂଲାଦେଶ ପକ୍ଷରୁ ଶାକିବ ଅଲ ହାସନ ୨ଟି ୱିକେଟ୍ ନେଇଥିବାବେଳେ ଆଫିଫ ହୁସେନ୍ ଏବଂ ତସ୍କିନ୍ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ବିଶାଳ ୨୦୬ ରନର ଟାର୍ଗେଟ ପାଇଥିବା ବାଂଲାଦେଶ ପ୍ରଥମ ଓଭରରେ ୧୭ ରନ ଆଦାୟ କରିଥିଲା। ଦ୍ୱିତୀୟ ଓଭରରେ ମଧ୍ୟ ଦଳ କୌଣସି ୱିକେଟ ହରାଇ ନଥିଲେ। କିନ୍ତୁ ତୃତୀୟ ଓଭରରେ ଆନରିଚ୍ ନୋର୍ଖିୟା ଆସିବା କ୍ଷଣି ବାଂଲାଦେଶର ବ୍ୟାଟିଂ ଲାଇନ ଅପ ଛିନଛତ୍ର ହୋଇ ଯାଇଥିଲା। ସେ ପ୍ରଥମେ ସୌମ୍ୟ ସରକାର(୧୫) ଓ ନଜମୁଲ ହୁସେନ ସାଣ୍ଟୋ(୯)ଙ୍କୁ ଗୋଟିଏ ଓଭରରେ ଆଉଟ କରିଥିଲେ। ଏହାପରେ ଅଧିନାୟକ ଶାବିକ ଅଲ ହାସନ(୧) ନୋର୍ଖିୟାଙ୍କ ତୃତୀୟ ଶିକାର ବନିଥିଲେ। ଏହି ଠାରୁ ହିଁ ବାଂଲାଦେଶ ନିୟମିତ ୱିକେଟ ହରାଇ ଚାଲିଥିଲା। ଆଫିଫ ହୁସେନ(୧), ମେହିଦ ହାସନ ମିର୍ଜା(୧୧), ମୋସାଡେକ ହୁସେନ(୦), ନୁରୁଲ ହୁସେନ(୩), ତସ୍କିନ ଅହମଦ(୧୦) ଓ ହାସନ ମହମ୍ମଦ(୦) ଆଉଟ ହୋଇଥିଲେ। ଲିଟନ ଦାସ(୩୪) ଗୋଟିଏ ପଟେ ଛିଡ଼ା ହୋଇଥିଲେ ମଧ୍ୟ ତାଙ୍କୁ ଆଉ କେହି ବି ସାଥ ଦେଇ ନଥିଲେ। ତାଙ୍କୁ ଶାମସି ଆଉଟ କରିବା ପରେ ବାଂଲାଦେଶର ସବୁ ଆଶା ମଉଳି ଯାଇଥିଲା। ଶେଷରେ ୧୦ ରନ କରିଥିବା ତସ୍କିନଙ୍କୁ ନୋର୍ଖିୟା ବୋଲ୍ଡ କରି ବାଂଲାଦେଶକୁ ୧୦୧ ରନରେ ଅଲଆଉଟ କରି ଦେଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ନୋର୍ଖିୟା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଶାମସି ୩ଟି, କେଶବ ମହାରାଜ ଓ କାଗିସୋ ରବାଡା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ଶତକୀୟ ଇନିଂସ ପାଇଁ ରୁସୋ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
