ଟି-୨୦ ବିଶ୍ୱକପ : ୮ ୱିକେଟରେ ଆୟର୍ଲ୍ୟାଣ୍ଡକୁ ହରାଇ ପ୍ରଥମଥର ସୁପର୍-୧୨ରେ ନାମିବିଆ
ଶାରଜା : ଦକ୍ଷିଣ ଆଫ୍ରିକାର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ଡେଭିଡ୍ ୱିସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ନାମିବିଆ ୮ ୱିକେଟରେ ଆୟର୍ଲ୍ୟାଣ୍ଡକୁ ହରାଇ ଚଳିତ ଟି-୨୦ ବିଶ୍ୱକପରେ ସୁପର୍-୧୨ ରାଉଣ୍ଡରେ ପ୍ରବେଶ କରିଛି। ନାମିବିଆ ପ୍ରଥମଥର ଲାଗି କୌଣସି ଟେଷ୍ଟ ଖେଳୁଥିବା ଦେଶକୁ ହରାଇ ଇତିହାସ ରଚିଛି। ଗ୍ରୁପ୍-ଏ’ରେ ନାମିବିଆ ବ୍ୟତୀତ ଶ୍ରୀଲଙ୍କା ଟିମ୍ ମଧ୍ୟ ସୁପର୍-୧୨କୁ କ୍ୱାଲିଫାଏ କରିଛି।
ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଆୟର୍ଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୨୫ ରନ୍ କରିଥିଲା। ଜବାବରେ ନାମିବିଆ ୧୮.୩ ଓଭରରେ ୨ ୱିକେଟ ହରାଇ ୧୨୬ ରନ୍ କରି ବିଜୟୀ ହୋଇଛି। ଅଲରାଉଣ୍ଡର ପ୍ରଦର୍ଶନ କରିଥିବା ଡେଭିଡ୍ ୱିସ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆୟର୍ଲ୍ୟାଣ୍ଡ ଏକ ସମୟରେ ୯୪ ରନରେ ୨ ୱିକେଟ୍ ହରାଇ ମଜଭୁତ୍ ସ୍ଥିତିରେ ଥିଲା। କିନ୍ତୁ ଏହା ଟପ ତିନି ବ୍ୟାଟ୍ସମ୍ୟାନଙ୍କ ଆଉଟ୍ ପରେ ଦଳର ରନ୍ ଗତି ହ୍ରାସ ପାଇଥିଲା। ଦଳ ଶେଷ ୩୪ ବଲରେ ୫ ୱିକେଟ୍ ହରାଇ ମାତ୍ର ୩୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଓପ୍ନର ପଲ୍ ଷ୍ଟର୍ଲିଙ୍ଗ୍ ସର୍ବାଧିକ ୩୮ (୨୪ ବଲ୍, ୫ ଚୌକା, ୧ ଛକା), କେଭିନ୍ ଓ’ ବ୍ରାଏନ୍ ୨୫ ଓ କ୍ୟାପଟେନ୍ ଆଣ୍ଡି ବାଲବର୍ଣ୍ଣି ୨୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରି ନଥିଲେ। ନାମିବିଆ ପକ୍ଷରୁ ଜାନ୍ ଫ୍ରାଇଲିଙ୍କ ୩ଟି ଓ ୱିସ୍ ୨ଟି ୱିକେଟ୍ ନେଇଥିଲେ। ଆୟର୍ଲ୍ୟାଣ୍ଡ ଦ୍ୱାରା ଧାର୍ଯ୍ୟ ୧୨୬ ରନର ଲକ୍ଷ୍ୟର ପିଛା କରୁଥିବା ନାମିବିଆ ତା’ର ଓପ୍ନର କ୍ରେଗ୍ ୱିଲିୟମ୍ସ (୧୫)ଙ୍କୁ ଶସ୍ତାରେ ହରାଇଥିଲା। ତାଙ୍କୁ ଆୟର୍ଲ୍ୟାଣ୍ଡ ପେସର କର୍ଟିସ୍ କ୍ୟାମ୍ଫର୍ ଆଉଟ୍ କରିଥିଲେ। ଅନ୍ୟତମ ଓପ୍ନର ଜେନ୍ ଗ୍ରୀନ୍ ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ବ୍ୟକ୍ତିଗତ ୨୪ ରନ୍ କରି କ୍ୟାମ୍ଫରଙ୍କ ଶିକାର ହୋଇଥିଲେ। ତେବେ ଟିମର କ୍ୟାପଟେନ୍ ଗେରହାର୍ଡ ଏରାସମସ୍ ଓ ଡେଭିଡ୍ ୱିସ୍ ତୃତୀୟ ୱିକେଟ୍ ପାଇଁ ଅପରାଜିତ ୫୩ ରନର ଭାଗିଦାରୀ କରି ଦଳକୁ ଜିତାଇଥିଲେ। ଏରାସମସ୍ ୪୯ ବଲରେ ୩ ଚୌକା ଓ ୧ ଛକା ସହ ୫୩ ଓ ୱିସ୍ ମାତ୍ର ୧୪ ବଲରେ ୧ ଚୌକା ଓ ୨ ଛକା ସହ ୨୮ ରନ୍ କରି ଅପରାଜିତ ଥିଲେ। ଆୟର୍ଲ୍ୟାଣ୍ଡ ପକ୍ଷରୁ କ୍ୟାମ୍ଫର୍ ୨ଟି ଯାକ ୱିକେଟ୍ ନେଇଥିଲେ।
