ଟି-୨୦ ବିଶ୍ବକପ୍ : ଭାରତୀୟ ବୋଲରଙ୍କ ଘାତକ ବୋଲିଂ, ୧୦ ଓଭର ସୁଦ୍ଧା ପାକିସ୍ତାନ ୬୦/୨
ନୂଆଦିଲ୍ଲୀ: ଆଜି ଅଷ୍ଟ୍ରେଲିଆର ମେଲ୍ବର୍ଣ୍ଣରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ବକପ୍ର ହାଇ ଭୋଲ୍ଟେଜ୍ ମ୍ୟାଚ୍ ଜାରି ରହିଛି ।ଭାରତ ଟସ୍ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟିଙ୍ଗ୍ କରିଥିବା ପାକିସ୍ତାନ ୧୦ ଓଭର ସୁଦ୍ଧା ୨ ୱିକେଟ୍ ବିନିମୟରେ ୬୦ ରନ୍ କରି ଖେଳୁଛି।
ଆଜି ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛ । ପ୍ରଥମ ୩ ଓଭର ମଧ୍ୟରେ ପାକିସ୍ତାନର ଦୁଇ ଓପନରଙ୍କୁ ଆଉଟ୍ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଖେଳାଳି। ପ୍ରଥମେ ଅର୍ଶଦୀପ ସିଂହ ବାବର୍ ଆଜମ୍ଙ୍କୁ କ୍ୟାଚ୍ ଆଉଟ୍ କରି ପାକିସ୍ତାନର ପ୍ରଥମ ଉଇକେଟ ଦଖଲ କରିଥିଲେ। ପରେ ଅର୍ଶଦୀପଙ୍କ ବଲ୍ରେ ଭୁବନେଶ୍ବର କୁମାରଙ୍କୁ କ୍ୟାଚ ଦେଇ ମହମ୍ମଦ୍ ରିଜ୍ୱାନ୍ ଆଉଟ୍ ହୋଇଥିଲେ।
ଆଜି ପାକିସ୍ତାନ ବିପକ୍ଷରେ ଟସ୍ ଜିଣି ଭାରତ ଫିଲ୍ଡିଙ୍ଗ୍ କରୁଛି। ଟସ୍ ଜିଣିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା ‘ଆଇସିସି’ ଟି-୨୦ ବିଶ୍ବକପ୍ର ପ୍ରଥମ ମ୍ୟାଚ୍ରେ ଫିଲ୍ଡିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଛନ୍ତି, ‘‘ଆମେ ପ୍ରଥମେ ଫିଲ୍ଡିଙ୍ଗ୍ କରିବୁ। ପିଚ୍ ଭଲ ଥିବା ପରି ଜଣାପଡୁଛି। କାଉଁଳିଆ ପାଗରେ ବୋଲିଙ୍ଗ୍ କରିବା ଭଲ। ମନେହୁଏ ବଲ୍ ସାମାନ୍ୟ ସ୍ବିଙ୍ଗ୍ କରିବ। ଆମେ ଏହାର ଫାଇଦା ନେବୁ। ଉତ୍ତମ ପ୍ରସ୍ତୁତି କରିଛୁ। ବ୍ରିସବେନ୍ରେ ଦୁଇଟି ପ୍ରାକ୍ଟିସ୍ ମ୍ୟାଚ ଖେଳିଛୁ। ଆମର ୭ଜଣ ବ୍ୟାଟସ୍ମେନ୍, ତିନିଜଣ ଫାଷ୍ଟ୍ ବୋଲର୍ ଓ ଦୁଇଜଣ ସ୍ପିନର୍ ଅଛନ୍ତି। ତେଣୁ ଭଲ ଫଳ ଆଶା କରୁଛୁ।’’
ପାକିସ୍ତାନର ଅଧିନାୟକ ବାବର୍ ଆଜମ୍ କହିଛନ୍ତି, ‘‘ଟସ୍ ଜିଣିବା ଆମ ହାତର କଥା ନୁହେଁ, କିନ୍ତୁ ଆମେ ପ୍ରଥମେ ବୋଲିଙ୍ଗ୍ କରିବାକୁ ଚାହୁଁଥିଲୁ। ଆମେ ୧୬୦-୧୭୦ ରନ୍ କରିବୁ। ଆମେ ଉତ୍ତମ ପ୍ରସ୍ତୁତି କରିଛୁ। ଆମର ୩ଜଣ ଫାଷ୍ଟ୍ ବୋଲର୍ ଓ ଦୁଇଜଣ ସ୍ପିନର୍ ଅଛନ୍ତି।’’
ଆଜିର ମ୍ୟାଚ୍ରେ ଭାରତୀୟ ଟିମ୍ରେ ରୋହିତ ଶର୍ମା (ଅଧିନାୟକ), କେ. ଏଲ୍. ରାହୁଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ୍, ରବିଚନ୍ଦ୍ରନ୍ ଅଶ୍ବିନୀ, ଭୁବନେଶ୍ବର କୁମାର, ମହମ୍ମଦ୍ ଶାମି ଓ ଅର୍ଶଦୀପ ସିଂହ ଅଛନ୍ତି। ସେହିପରି ବାବର୍ ଆଜମ୍, ମହମ୍ମଦ୍ ରିଜ୍ୱାନ୍, ଶାନ୍ ମାସୁଦ୍, ହୈଦର୍ ଅଲି, ମହମ୍ମଦ ନୱାଜ୍, ଶଦାବ୍ ଖାଁ, ଇଫ୍ତିଖର୍ ଅହମଦ୍, ଅସିଫ୍ ଅଲି, ଶାହୀନ୍ ଆଫ୍ରିଦ୍, ହରିସ୍ ରୌଫ୍ ଏବଂ ନସୀମ୍ ଶାହ ପାକିସ୍ତାନ ଟିମ୍ରେ ଖେଳୁଛନ୍ତି।
