ଟି-୨୦ ବିଶ୍ୱକପ୍ : ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆକୁ ୯ ଓ୍ବିକେଟରେ ହରାଇଲା ଭାରତ
ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ୱକପର ଦ୍ୱିତୀୟ ଅଭ୍ୟାସ ମ୍ୟାଚକୁ ଜିତି ନେଇଛି ଟିମ୍ ଇଣ୍ଡିଆ। ବୁଧବାର ରୋହିତ୍ ଶର୍ମାଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ୮ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ପ୍ରଥମ ଅଭ୍ୟାସ ମ୍ୟାଚରେ ଇଂଲଣ୍ଡକୁ ହରାଇଥିଲା। ଆଜି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୨ ରନ୍ କରିଥିଲା। ଜବାବରେ ଭାରତ ୧୭.୫ ଓଭରରେ ୨ ୱିକେଟ୍ ହରାଇ ୧୫୩ ରନ୍ କରି ବିଜୟୀ ହୋଇଛି। ଭାରତ ପକ୍ଷରୁ ରୋହିତ୍ ସର୍ବାଧିକ ୬୦ (୪୧ ବଲ୍, ୫ ଚୌକା, ୩ ଛକା) ରନ୍ କରି ରିଟାୟର୍ଡ ଆଉଟ୍ ହୋଇଛନ୍ତି। ସେହିପରି ଲୋକେଶ ରାହୁଲ୍ (୩୯), ସୂର୍ଯ୍ୟକୁମାର ଯାଦବ (୩୮) ଓ ହାର୍ଦ୍ଦିକ ପାଣ୍ଡ୍ୟା (୧୪) ଉପଯୋଗୀ ରନ୍ କରି ଭାରତକୁ ଜିତାଇଛନ୍ତି।
ଅଷ୍ଟ୍ରେଲିଆର ଅଧିନାୟକ ଆରନ ଫିଞ୍ଚ୍ ଆଜି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ଓ୍ବିକେଟ ହରାଇ ୧୫୨ ରନ କରିଥିଲା । ଇନିଂସ ଆରମ୍ଭରୁ ହିଁ ଦଳକୁ ଝଟକା ଲାଗିଥିଲା କାରଣ ଦଳର ପ୍ରଥମ ୩ଜଣ ବ୍ୟାଟ୍ସମ୍ୟାନ ଡେଭିଡ୍ ଓ୍ବାର୍ଣ୍ଣର, ଆରନ ଫିଞ୍ଚ୍ ଓ ମିସେଲ ମାର୍ସ ଶସ୍ତାରେ ଆଉଟ ହୋଇଯାଇଥିଲେ । ମାତ୍ର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନଙ୍କ ଲଢୁଆ ବ୍ୟାଟିଂ ପାଇଁ ଦଳ ଏକ ସମ୍ମାନଜନକ ସ୍କୋର କରିପାରିଥିଲା । ଷ୍ଟିଭ୍ ସ୍ମିଥ ୫୭ ରନ, ମାର୍କସ ଷ୍ଟଇନିସ ୪୧ ରନ ଓ ଗ୍ଲେନ ମାକ୍ସଓ୍ବେଲ ୩୭ରନ କରିଥିଲେ । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବୀନ ୨ଟି ଏବଂ ରବିନ୍ଦ୍ର ଜାଦେଜା ଓ ରାହୁଲ ଚହର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ୧୫୩ ରନର ଲକ୍ଷ୍ୟର ପିଛା କରୁଥିବା ଭାରତ ପାଇଁ ଓପନ୍ କରିବାକୁ ଆସିଥିବା ରାହୁଲ୍ ଓ ରୋହିତ୍ ପ୍ରଥମ ୱିକେଟ୍ ପାଇଁ ୬୮ ରନ୍ ଯୋଡ଼ିଥିଲେ। ରାହୁଲ୍ ୩୧ ବଲରେ ୨ ଚୌକା ଓ ୩ ଛକା ସହ ୩୯ ରନ୍ କରି ଆଷ୍ଟନ୍ ଆଗରଙ୍କ ଶିକାର ହୋଇଥିଲେ। ଏହା ପରେ ରୋହିତଙ୍କୁ ଭରପୂର ସହଯୋଗ କରିଥିଲେ ସୂର୍ଯ୍ୟକୁମାର। ଦୁହେଁ ୫୯ ରନର ଭାଗିଦାରୀ କରି ଦଳକୁ ବିଜୟ ଆଡ଼କୁ ନେଇଥିଲେ। ଅର୍ଦ୍ଧଶତକ ମାରିବା ପରେ ରୋହିତ୍ ଅନ୍ୟମାନଙ୍କୁ ସୁଯୋଗ ଦେବା ପାଇଁ ରିଟାୟର୍ଡ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ହାର୍ଦ୍ଦିକ ଛକା ମାରି ଭାରତକୁ ଜିତାଇଥିଲେ। ହାର୍ଦ୍ଦିକ ୮ ବଲରେ ୧ ଛକା ସହ ୧୪ ଓ ସୂର୍ଯ୍ୟକୁମାର ୨୭ ବଲରେ ଦ୍ରୁତ ୩୮ (୫ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଗର ଗୋଟିଏ ୱିକେଟ୍ ନେଇଥିଲେ।
