ଟି-୨୦ ବିଶ୍ୱକପ : ନେଦରଲାଣ୍ଡସକୁ ୫୬ ରନରେ ହରାଇ ଗ୍ରୁପ୍-୨ ଶୀର୍ଷରେ ଭାରତ
ସିଡନୀ : ଚଳିତ ଟି-୨୦ ବିଶ୍ୱକପ୍ରେ ଜୟଯାତ୍ରା ଜାରି ରଖିଛି ଭାରତ । ପ୍ରଥମ ମୁକାବିଲାରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ମାତ୍ ଦେଇଥିବା ଟିମ ଇଣ୍ଡିଆ ଗୁରୁବାର ନେଦରଲାଣ୍ଡସକୁ ହରାଇ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ରୋହିତ ଶର୍ମାଙ୍କ ଭାରତୀୟ ଟିମ୍ ଅପେକ୍ଷାକୃତ ଦୁର୍ବଳ ନେଦରଲ୍ୟାଣ୍ଡ୍ସକୁ ଏକତରଫା ଭାବେ ୫୬ ରନରେ ହରାଇ ଦେଇଛି।
ସିଡ୍ନୀରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଟିମ ଇଣ୍ଡିଆ ବିରାଟଙ୍କ କୋହଲିଙ୍କ ଅପରାଜିତ ୬୨ ଓ ସୂର୍ଯ୍ୟ କୁମାରଙ୍କ ଅପରାଜିତ ୫୧ ରନ ସାଙ୍ଗକୁ ରୋହିତ ଶର୍ମାଙ୍କ ୫୩ ରନ ବଳରେ ୨ ୱିକେଟ ହରାଇ ୧୭୯ ରନ କରିଥିଲା। ଜବାବରେ ନେଦରଲ୍ୟାଣ୍ଡ୍ସ କମ୍ରାଗତ ୱିକେଟ ହରାଇ ଚାଲିଥିଲା। ଶେଷରେ ଡଚ୍ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ କେବଳ ୧୨୩ ରନ କରିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚ୍କୁ ୫୬ ରନରେ ଜିତି ଭାରତ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଉଠିଛି। ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଛି। ମାତ୍ର ୨୫ ବଲରେ ୫୧ ରନ କରିଥିବା ସୂର୍ଯ୍ୟ କୁମାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଛି। ସେ ତାଙ୍କ ୫୧ ରନର ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।
ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ସହାୟତାରେ ଭରତ ନିର୍ଦ୍ଧାରିତ ୨୦ ଓଭରରେ ଦୁଇ ଓ୍ବିକେଟ୍ ହରାଇ ୧୭୯ ରନ୍ କରିଥିଲା। ପାକିସ୍ତାନ ବିପକ୍ଷ ବିଜୟର ନାୟକ ବିରାଟ କୋହଲିଙ୍କ ବ୍ୟାଟ୍ ପୁଣି ଗର୍ଜିଥିଲା । ସେ ଟୁର୍ଣ୍ଣାମେଣ୍ଟର କ୍ରମାଗତ ଦ୍ବିତୀୟ ଅର୍ଦ୍ଧଶତକ ପୂର୍ବକ ୪୪ ବଲରେ ୩ ଟି ଚୌକା ଓ ୨ଟି ଚକା ସହ ଅପରାଜିତ ୬୨ ରନ୍ କରିଥିବା ବେଳେ ସୂର୍ଯ୍ୟକୁମାର ୭ଟି ଚୌକା ଓ ଗୋଟିଏ ଛକା ସହ ମାତ୍ର ୨୫ ବଲରେ ଚିତ୍ତାକର୍ଷକ ୫୧ ରନ୍ କରି ଅପରାଜିତ ରହିଥିଲେ । କେଏଲ୍ ରାହୁଲ (୯) ପୁଣି ଫେଲ୍ ମାରିଥିବା ବେଳେ କ୍ୟାପଟେନ ରୋହିତ ଶର୍ମା ୩୯ ବଲରେ ୪ଟି ଚୌକା ଓ ୩ଟି ଚକା ସହ ରନ ୫୩ ରନ୍ କରିଥିଲେ । ନେଦରଲାଣ୍ଡସ୍ ତରଫରୁ ଫ୍ରେଡ କ୍ଲାସେନ୍ ଏବଂ ପଲ୍ ଭନ୍ ମେକର୍ନ ଗୋଟିଏ ଲେଖାଏଁ ୱିକେଟ୍ ୱିକେଟ୍ ନେଇଥିଲେ।
୧୮୦ ରନର ଟାର୍ଗେଟ ପାଇଥିବା ନେଦରଲ୍ୟାଣ୍ଡ୍ସ ୧୧ ରନରେ ଓପନର ବିକ୍ରମଜିତ ସିଂହ(୧)ଙ୍କୁ ହରାଇଥିଲା। ଅନ୍ୟତମ ଓପନର ମାକ୍ସ ଓ’ ଡୋୱଡ କେବଳ ୧୬ ରନ କରିବାକୁ ସକ୍ଷମ ହୋଇଥିଲେ। ସିଂହଙ୍କ ୱିକେଟ ଭୁବନେଶ୍ୱର କୁମାର ଓ ମାକ୍ସଙ୍କୁ ଅକ୍ଷର ପଟେଲ କ୍ଲିନବୋଲ୍ଡ କରିଥିଲେ। ଏହାପରେ ବାସ ଡେ ଲିଡେ(୧୬) ଓ କୋଲିନ ଆକେରମାନ୍ନ(୧୭) ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ତୃତୀୟ ୱିକେଟ ପାଇଁ କେବଳ ୨୭ ରନ ଯୋଡ଼ିବାକୁ ସକ୍ଷମ ହୋଇଥିଲେ। ଦଳୀୟ ସ୍କୋର ୪୭ ଥିବା ବେଳେ ଅକ୍ଷର ପଟେଲ ୧୬ ରନ କରିଥିବା ଲିଡେଙ୍କୁ ଆଉଟ କରିଥିଲେ। ଆକେରମାନ୍ନ(୧୭) ରବି ଅଶ୍ୱିନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଟମ କୁପର ୯ ରନ ଆଉଟ ହେବା ପରେ ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା। ଏଥିସହ ୬୩ ରନରେ ୫ ୱିକେଟ ହରାଇ ଡଚ୍ ଟିମ ସଙ୍କଟରେ ପଡ଼ିଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ସ୍କଟ ଏଡୱାର୍ଡସ(୫), ଲୋଗାନ ଭାନ ବେକ(୩) ବେଶୀ କିଛି କରି ପାରି ଥିଲେ। ଟିମ ପ୍ରିଙ୍ଗଲ ୨୦ ରନ କରିଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିଲା। ତାଙ୍କୁ ମହମ୍ମଦ ଶାମି ଆଉଟି ନେଦରଲ୍ୟାଣ୍ଡ୍ସର ଯାହା ବି କିଛି ଆଶା ଥିଲା, ସେଥିରେ ପାଣି ପକାଇ ଦେଇଥିଲେ। ଦଳୀୟ ସ୍କୋର ୧୦୧ ଥିବା ବେଳେ ଅର୍ଶଦୀପ ସିଂହ ଦୁଇଟି ବଲରେ ଦୁଇଟି ୱିକେଟ ନେଇ ଡଚ୍ ଦଳକୁ ୯ମ ଝଟକା ଦେଇଥିଲେ। ୧୯ତମ ଓଭରରେ ଶାମି ବୋଲିଂ କରିଥିବା ବେଳେ ୮ ରନ ଦେଇଥିଲେ। ଶେଷ ଓଭରରେ ନେଦରଲ୍ୟାଣ୍ଡ୍ସକୁ ଜିତିବା ପାଇଁ ୭୧ ରନ ଦରକାର ଥିବା ବେଳେ ଅର୍ଶଦୀପ ସିଂହ ବୋଲିଂ କରିବାକୁ ଆସିଥିଲେ। ତାଙ୍କ ପାଖରେ ହ୍ୟାଟ୍ରିକ ନେବାକୁ ସୁଯୋଗ ଥିଲେ ମଧ୍ୟ ପଲ ଭାନ ମୀକେରେନ ଏହା କରାଇ ଦେଇ ନଥିଲେ। ହ୍ୟାଟ୍ରିକ ବଲଟି ଡଟ୍ ହୋଇଥିଲା। ଏହି ଓଭରରେ ଡଚ୍ ଟିମ ୧୪ ରନ ଆଦାୟ କରି ୧୨୩ରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା। ଶାହରିଜ ଅହମଦ ୧୬ ଓ ମୀରକେରେନ ଶେଷ ଯାଏ ୧୪ ରନ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ଅକ୍ଷର ପଟେଲ ଓ ରବି ଅଶ୍ୱିନ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଶାମିଙ୍କୁ ଗୋଟିଏ ସଫଳତା ମିଳିଛି।
