ଟି-୨୦ ବିଶ୍ୱକପ : ନେଦରଲାଣ୍ଡକୁ ୧୮୦ ରନ ଟାର୍ଗେଟ୍ ଦେଲା ଭାରତ
ସିଡନୀ : ଚଳିତ ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆଜି ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଇଛି। ଆଜିର ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡକୁ ୧୮୦ ରନର ଟାର୍ଗେଟ୍ ଦେଇଛି।
ତେବେ ପୂର୍ବଥର ଭଳି ଏଥର ବି ଭାରତର ଓପନିଂ ବ୍ୟାଟିଂ ଅର୍ଡର ଫେଲ୍ ମାରିଥିଲା। ତେବେ ଭାରତ ବିରୋଧରେ ନେଦରଲ୍ୟାଣ୍ଡର ବୋଲିଂ ପ୍ରଦର୍ଶନ ବି ଭଲ ରହିଥିଲା। କେ.ଏଲ୍. ରାହୁଲ୍ ୧୨ଟି ବଲ୍ ଖେଳି ୯ ରନ୍ କରିବା ପରେ ‘ଏଲ୍ବିଡବ୍ଲୁ’ରେ ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବିରୋଟ କୋହଲି ରୋହିତଙ୍କ ସହିତ ମିଶି ଦଳର ସ୍କୋରକୁ ଆଗକୁ ନେଇଥିଲେ। ଗୋଟିଏ ପଟେ ବିରାଟ ରକ୍ଷଣାତ୍ମକ ଶୈଳୀରେ ବ୍ୟାଟିଂ କରୁଥିବା ବେଳେ ରୋହିତ ବିସ୍ଫୋରକ ପାଳି ଖେଳିବାକୁ ଚେଷ୍ଟା କରୁଥିଲେ। ଦୁହିଁଙ୍କ ଭାଗିଦାରୀ କରିଜରେ ବେଶ ସମୟ ଜମି ରହିଥିଲା । ରୋହିତ ୩୯ ବଲରେ ୪ଟି ଚୌକା ଓ ୩ ଛକା ବଳରେ ୫୩ ରନ୍ କରି ପ୍ୟାଭିଲିଆନ ଫେରିଥିଲେ। ବିରାଟ କୋହଲି ବ୍ୟାଟିଙ୍ଗ୍ କରୁଥିବା ବେଳେ ତାଙ୍କ ସହିତ ଯୋଗ ଦେଇଥିଲେ ସୂର୍ଯ୍ୟକୁମାର ଯାଦବ । ସେ ବିରାଟଙ୍କ ସହ ମିଶି ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଯାଇଥିଲେ। ସୂର୍ଯ୍ୟକୁମାରଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଦୁହେଁ ଶେଷ ଭାର ଯାଏଁ ଖେଳି କୋହଲି ୪୪ ବଲରେ ୬୨ ରନ୍ କରିଥିବା ବେଳେ ସୂର୍ଯ୍ୟକୁମାର ମାତ୍ର ୨୫ଟି ବଲରେ ୫୧ ରନ୍ କରିଥିଲେ । ଏହା ତାଙ୍କର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଦଶମ ଅର୍ଦ୍ଧଶତକ। ସେହିପରି ବିରାଟ କୋହଲିଙ୍କର ଏହା ୩୫ ତମ ଅର୍ଦ୍ଧଶତକ ଥିଲା। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ହରାଇ ୧୭୯ ରନ୍ କରିଛି । ନେଦରଲାଣ୍ଡକୁ ଜିତିବା ପାଇଁ ୧୮୦ ରନ ଆବଶ୍ୟକ ରହିଛି । ନେଦରଲାଣ୍ଡ ପକ୍ଷରୁ ଫ୍ରିଡ୍ କ୍ଲାସେନ୍ ଓ ଭାନ ମିକେରାନ ଗୋଟିଏ ଲେଖାଏ ୱିକେଟ ନେଇଥିବା ବେଳେ ଅନ୍ୟ କୌଣସି ବୋଲର ୱିକେଟ ନେବାର ସଫଳ ହୋଇନଥିଲେ।
