ଟି-୨୦ ବିଶ୍ୱକପ : ଷ୍ଟାର୍ ସ୍ପୋର୍ଟସ୍ ବ୍ୟତୀତ ଏଠାରେ ଫ୍ରି’ରେ ଦେଖିପାରିବେ ନକଆଉଟ୍ ମ୍ୟାଚର ଲାଇଭ୍ ପ୍ରସାରଣ
ନୂଆଦିଲ୍ଲୀ : କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ବାସ୍ତବରେ, ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲ ମ୍ୟାଚ ଗୁଡ଼ିକ ଓ ଫାଇନାଲ ମ୍ୟାଚର ଲାଇଭ୍ ବା ସିଧା ପ୍ରସାରଣ ଡିଡି ସ୍ପୋର୍ଟସରେ ହେବ । ଯଦି ଆପଣଙ୍କର ପ୍ୟାକରେ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କ ନାହିଁ, ତେବେ ଆପଣଙ୍କୁ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଦେଖିବା ପାଇଁ ଟଙ୍କା ଦେବାକୁ ପଡ଼ିବ ନାହିଁ । କ୍ରିକେଟ୍ ପ୍ରଶଂସକମାନେ ଡିସି ସ୍ପୋର୍ଟସରେ ଆଇସିସି ଟି-୨୦ ବିଶ୍ୱକପ ୨୦୨୨ର ନକ୍ଆଉଟ୍ ମ୍ୟାଚ୍ ମାଗଣାରେ ଦେଖିପାରିବେ ।
ଏଠାରେ କହି ରଖୁଛୁ ଯେ, ନଭେମ୍ବର ୯ରେ ଟି-୨୦ ବିଶ୍ୱକପ ୨୦୨୨ର ପ୍ରଥମ ସେମିଫାଇନାଲ ଖେଳାଯିବ । ପ୍ରଥମ ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡର ଦଳ ମୁହାଁମୁହିଁ ହେବେ । ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ୍ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଏହି ମ୍ୟାଚ୍ ଭାରତୀୟ ସମୟ ଦିନ ୧.୩୦ ମିନିଟରେ ଆରମ୍ଭ ହେବ । ଷ୍ଟାର ସ୍ପୋର୍ଟସ ବ୍ୟତୀତ ଭାରତୀୟ ପ୍ରଶଂସକମାନେ ଡିଡି ସ୍ପୋର୍ଟସରେ ପାକିସ୍ତାନ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ ଦେଖିପାରିବେ ।
ଅନ୍ୟପଟେ ଟି-୨୦ ବିଶ୍ୱକପ ୨୦୨୨ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ନଭେମ୍ବର ୧୦ରେ ଖେଳାଯିବ । ଏହି ମ୍ୟାଚରେ ଇଂଲଣ୍ଡ ଦଳ ଟିମ୍ ଇଣ୍ଡିଆ ସାମ୍ନାରେ ରହିବ । ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ୍ ଆଡିଲେଡ୍ ଓଭାଲ୍ ଗ୍ରାଉଣ୍ଡରେ ଖେଳାଯିବ । ଏହି ସେମିଫାଇନାଲ ମ୍ୟାଚ୍ ଭାରତୀୟ ସମୟାନୁସାରେ ଅପରାହ୍ନ ୧ଟା ୩୦ ମିନିଟରେ ଆରମ୍ଭ ହେବ ।
ସୂଚନାଯୋଗ୍ୟ, ଏହି ସମସ୍ତ ମ୍ୟାଚ୍ ବ୍ୟତୀତ ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲ ମ୍ୟାଚ୍ ଷ୍ଟାର ସ୍ପୋର୍ଟସ ନେଟୱାର୍କ ବ୍ୟତୀତ ଡିଡି ସ୍ପୋର୍ଟସରେ ଭାରତୀୟ ପ୍ରଶଂସକମାନେ ଲାଇଭ୍ ଦେଖିପାରିବେ । ଏହା ବ୍ୟତୀତ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଲାଇଭ୍ ଷ୍ଟ୍ରିମିଂ କରାଯିବ । ଏଠାରେ କହି ରଖୁଛୁ ଯେ, ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲ ମ୍ୟାଚ ନଭେମ୍ବର ୧୩ରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ।
