ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି : ଓଡ଼ିଶାକୁ ୭୧ ରନ୍ରେ ହରାଇଲା ଝାଡ଼ଖଣ୍ଡ
ଭୁବନେଶ୍ବର: ଲକ୍ଷ୍ନୌରେ ଚାଲିଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଗୁରୁବାର ଝାଡ଼ଖଣ୍ଡ ୭୧ ରନ୍ରେ ଓଡ଼ିଶାକୁ ପରାସ୍ତ କରିଛି। ଅଭିଷେକ ରାଉତ ଟସ୍ ଜିତି କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା ବେଳେ ଅଧିନାୟକ ଇଶାନ କିଶାନଙ୍କ ଶତକୀୟ ପାଳି ବଳରେ ଝାଡ଼ଖଣ୍ଡ ୪ ୱିକେଟ୍ ବିନିମୟରେ ୧୫୫ ରନ୍ ସଂଗ୍ରହ କରିଥିଲା। ପ୍ରଥମ ଓଭରରେ ରାଜେଶ ମହାନ୍ତି ଯଦିଓ ପଙ୍କଜ କୁମାରଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ, କିନ୍ତୁ ଇଶାନ ଗୋଟିଏ ପଟରୁ ବୋଲରଙ୍କୁ ନିର୍ଦ୍ଧୁମ୍ ପ୍ରହାର କରିଚାଲିଥିଲେ। ଇଶାନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୬୪ ବଲ୍ରୁ ୧୦୨ ରନ୍ର ଶତକୀୟ ପାଳି ଖେଳିଥିଲେ। ଏହି ପାଳିରେ ୭ ଛକା ଓ ୫ ଚୌକା ଅନ୍ତର୍ଭୁକ୍ତ। ଅନ୍ୟ ତିନି ୱିକେଟ୍କୁ ତାରିଣୀ ସ’ ଅକ୍ତିଆର କରିଥିଲେ।
୧୫୬ ରନ୍କୁ ପିଛା କରି ଓଡ଼ିଶା ନିୟମିତ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୧୯.୨ ଓଭର ବେଳକୁ ୧୧୭ ରନ୍ରେ ସମସ୍ତ ୱିକେଟ ହରାଇଥିଲା। କେବଳ ଶାନ୍ତନୁ ମିଶ୍ର ରକ୍ଷଣାତ୍ମକ ଖେଳି ୫୪ ରନ୍ ସଂଗ୍ରହ କରିପାରିଥିଲେ। ପ୍ରତିପକ୍ଷର ଶାହବାଜ୍ ନଦିମ୍ ୩, ବିବେକ ତିୱାରୀ ଓ ଅନୁକୁଳ ରଏ ୨ ୱିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ। ଓଡ଼ିଶା ଶେଷ ଲିଗ୍ ମ୍ୟାଚ୍ ରବିବାର ଛତିଶଗଡ଼ ବିପକ୍ଷରେ ଖେଳିବ।
