ବାଲେଶ୍ୱର ପହଁଞ୍ଚିଲା ସ୍ୱାଭିମାନ ପଦଯାତ୍ର
ବାଲେଶ୍ୱର : ଅମର୍ଦ୍ଧା ଏୟାରଷ୍ଟ୍ରିପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିରେ ଉତ୍ତର ଓଡିଶା ପର୍ଯ୍ୟଟନ ବିକାଶ ପରିଷଦ ଆନୁକୂଲ୍ୟରେ ରସଗୋବିନ୍ଦପୁର ରାଜଭବନ ଅଭିମୁଖେ ଆରମ୍ଭ ହୋଇଛି ସ୍ୱାଭିମାନ ପଦଯାତ୍ରା। ଏହି ପଦଯାତ୍ରା ଅକ୍ଟୋବର 26ରୁ ରସଗୋବିନ୍ଦପୁରରୁ ଆରମ୍ଭ ହୋଇଛି | ଏହି ପଦଯାତ୍ରା ଅକ୍ଟୋବର 28ତାରିଖ ବାଲେଶ୍ୱର ଅତିକ୍ରମ କରିଛି | ଉତ୍ତର ଓଡିଶାର ଅଗ୍ରିମ ସାମାଜିକ ସଙ୍ଗଠନ ଭଏସ ଅଫ ବାଲେଶ୍ୱରର ପ୍ରତିଷ୍ଠାତା ତଥା ଉତ୍ତର ଓଡିଶା ପର୍ଯ୍ୟଟନ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଅରଜିତ ଘୋଷଲଙ୍କ ନେତୃତ୍ଵରେ ଚାଲିଥିବା ପଦଯାତ୍ରାରେ ସୁଶାନ୍ତ ସାହୁ, ନିଶିତ ବାରିକ, ତାପସ ଦାସ, ସ୍ମୃତିତୀର୍ଥ ମହାନ୍ତି, ସରୋଜ ସାହୁ, ତାପସ ସାମଲ, ତପନ ସିଂ, ଅଜୟ ଦାସ, ସୁଶୀଲ ଜେନା ପ୍ରମୁଖ ସାମିଲ ହୋଇଥିଲେ | ଅସିତ ଦାସଙ୍କ ନେତୃତ୍ୱରେ ଫକୀର ମୋହନ ଗୋଲାଈ ଠାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ଏଥିରେ ଶ୍ରମିକ ନେତା ଶାନ୍ତନୁ ଦାସ, ତରୁଣ ରାଉତ, 4 ଜଣ ବର୍ତ୍ତମାନର କାଉନସିଲର, ଶ୍ରୀମାନ ଶ୍ରୀଚନ୍ଦନ ପ୍ରମୁଖ ସାମିଲ ଥିବା ସ୍ଥଳେ ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ପଦଯାତ୍ରୀମାନଙ୍କ ଯାତ୍ରାରେ ସାମିଲ ହୋଇ ସେମାନଙ୍କ ଦାବିକୁ ସମର୍ଥନ ଜଣାଇଥିଲେ | ଏହି ପଦଯାତ୍ରୀ ଭୁବନେଶ୍ୱର ପହଞ୍ଚି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ ସୂଚନାଯୋଗ୍ୟ, ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ପାଖପାଖି ୯୦୦ ଏକର ଜମିରେ ଏସିଆ ମହାଦେଶର ସର୍ବବୃହତ ଏୟାର ଷ୍ଟ୍ରିପ୍ ତିଆରି କରାଯାଇଥିଲା। ଏସିଆର ଦୀର୍ଘ ରନ୍ ୱେ ଥିବା ଏହି ଏୟାର ଷ୍ଟ୍ରିପ୍ ମରାମତି ଅଭାବରୁ ଏବେ ବ୍ୟବହାର ଅନୁପଯୋଗୀ ପାଲଟିଛି। ଏହାକୁ ଏବେ “ଉଡାଣ”ରେ କେନ୍ଦ୍ର ସରକାର ସାମିଲ କରିଥିଲେ ହେଁ ଏଯାଏଁ କାର୍ଯ୍ୟକ୍ଷମ ହୋଇନି।
