ରାମକୋ ସିମେଣ୍ଟ କାରଖାନାରେ ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ
ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁରସ୍ଥିତ ରାମକୋ ସିଂମେଟ କାରଖାନାର ଜଣେ ସିକ୍ୟୁରିଟି ଗାର୍ଡଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ଏଭଳି ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କାରଣ ପାଲଟିଛି । ମୃତକ ଜଣକ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ସୁଜନପୁର ଅଂଚଳର ସ୍ୱର୍ଗତ ମଙ୍ଗୁଳି ଚରଣ ରାଉତଙ୍କ ପୁଅ ଦେବେନ୍ଦ୍ର(୫୦) ବୋଲି ଜଣାପଡିଛି । କମ୍ପାନୀ ପକ୍ଷରୁ ଧର୍ମଶାଳା ପୋଲିସକୁ ଜଣାଇ ଘଟଣାକୁ ଦଫାରଫା କରିବାକୁ ଉଦ୍ୟମ କରୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ସୂଚନା ମୁତାବକ, ଦେବେନ୍ଦ୍ର ହରିଦାସପୁରସ୍ଥିତ ରାମକୋ ସିଂମେଟ କାରଖାନାରେ ସିକ୍ୟୁରିଟି ଗାର୍ଡଭାବେ କାମ କରୁଥିଲେ । ତେବେ ଆଜି ସକାଳେ କାର୍ଯ୍ୟରେ ଯୋଗ ଦେବା ବିଳମ୍ବ ହେବାରୁ , ଅନ୍ୟ ସାଥିମାନେ କମ୍ପାନୀ ନିକଟରେ ରହୁଥିବା ଘରକୁ ଖୋଜିବାକୁ ଯାଇଥିଲେ । ଫଳରେ ଘର ଭିତରରେ ଦେବେନ୍ଦ୍ର ଶୋଇ ରହିଥିବା ଦେଖିବାକୁ ପାଇଥିଲେ । ସେ ନ ଉଠିବାରୁ କମ୍ପାନୀ କର୍ମଚାରୀ ତାଙ୍କୁ ତୁରନ୍ତ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଧର୍ମଶାଳା ପୋଲିସ ମେଡିକାଲରେ ପଂହଚି ମୃତ ଦେହକୁ ଜବତ କରି ତରବରିଆଭାବେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛି । ତେବେ କେଉଁ ପରିସ୍ଥିତିରେ ଦେବେନ୍ଦ୍ରଙ୍କର ମୃତ୍ୟୁ ଘଟିଲା ତାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି ।ସୂଚନା ଥାଉକି, ଏହି ସିଂମେଟ କାରଖାନାରେ ଆଗରୁ ମଧ୍ୟ ଅନେକ କର୍ମଚାରୀ ମୃତ୍ୟୁବରଣ କରିଥିଲେ । କମ୍ପାନୀ ପକ୍ଷରୁ ଥାନାରେ ଜଣାଇ ଘଟଣାକୁ ବହୁ ସମୟରେ ପ୍ରକୃତ ଘଟଣାକୁ ଚପାଇ ଦେଉଥିବା ନେଇ ମଧ୍ୟ ପୂର୍ବରୁ କମ୍ପାନୀ ବିରୋଧରେ ଅଭିଯୋଗ ହୋଇ ଆସୁଥିଲା । ତେବେ ପୁଣି ଆଜି ଜଣେ କର୍ମଚାରଙ୍କ ମୃତ୍ୟୁ ଘଟଣାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଘଟଣାର ପ୍ରକୃତ କାରଣ ପଦାକୁ ଆସିବ ବୋଲି ଅଂଚଳବାସୀ ଦାବି କରିଛନ୍ତି ।
