ସୂର୍ଯ୍ୟକିରଣ ଏୟାର ସୋ, ଆଜି ଭୁବନେଶ୍ୱରରେ ଅଭ୍ୟାସ
Delhi:India Air Force(IAF) Suryakiran aircrafts perform aerobatic maneuvers during an Air Display on the occasion of 89th foundation Day of the Force at Hindon Airbase Ghaziabad on Friday October 08,2021 (Photo: Wasim Sarvar/IANS)
ଭୁବନେଶ୍ୱର : ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଉପଲକ୍ଷେ ଭୁବନେଶ୍ୱର ଏବଂ ପୁରୀରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରସ୍ଥିତ କୂଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ଏହି ସୋ’ ହେବାକୁ ଥିବା ବେଳେ ପୁରୀରେ ୧୮ ତାରିଖରେ ଏହି ଏୟାର ସୋ’ ହେବ । ବାୟୁସେନାର ୨ଟି ବିମାନ ବୁଧବାର କୂଆଖାଇ ନଦୀପଠାରେ ପରିଦର୍ଶନ କରିଥିଲା ବେଳେ ଗୁରୁବାର ପୂର୍ଣ୍ଣ ଅଭ୍ୟାସ କରିବ ।
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ‘ସୂର୍ଯ୍ୟକିରଣ’ ଏୟାର ସୋ’ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଲୋକେ ଯେପରିକି ସୁରୁଖୁର ଭାବେ ବସି ଏବଂ ଠିଆ ହୋଇ ଏହି ସୋ’କୁ ଦେଖିବେ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇଛି । ଏହା କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ ବ୍ୟବସ୍ଥା କରାଯାଇଛି । ଏଥିରେ ୨୦ ପ୍ଲାଟୁନ ଫୋର୍ସ, ୧୦୦ ରୁ ଅଧିକ ବଛା ବଛା ଅଫିସର ନିୟୋଜିତ ରହିବେ । ପଚାଶ ହଜାରରୁ ଅଧିକ ଲୋଙ୍କକ ସମାଗମ ହେବାକୁ ଥିବାରୁ ଟ୍ରାଫିକ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।
ଏୟାର ସୋ’ ପାଇଁ କୂଆଖାଇ ନଦୀପଠାରେ ପୂର୍ବ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବାୟୁସେନାର ସ୍ୱତନ୍ତ୍ର ଅଫିସରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି । କାର୍ଯ୍ୟକ୍ରମରେ ଯେମିତି କୌଣସି ବାଧା ନଉପୁଜେ ତାକୁ ଦୃଷ୍ଟିରେ ରଖି କମିଶନେରଟ ପୁଲିସ ପକ୍ଷରୁ ବାୟୁସେନା ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ ଜାରି ରହିଛି । ସୁରୁଖୁରୁରେ ଏହି ଏୟାର ସୋ’ କେମିତି ହେବ ତାର ତଦାରଖ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଏହି ଅବସରରେ କୂଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆର ଆବାହକ ଯଶୋବନ୍ତ ଓଝା ମଧ୍ୟ ଉପସ୍ଥିତ ଥିଲେ । ଏହି ସୋ’ ପାଇଁ ଲୋକମାନେ ଉତ୍ସାହିତ ଥିବା ବେଳେ ଯେମିତି କୌଣସି ସମସ୍ୟା ନହୁଏ ତେଣୁ ପ୍ରଶାସନିକ ଅଧିକାରୀମାନଙ୍କୁ ସହଯୋଗ କାରାଯାଉଥିବା ଡିସିପି କହିଛନ୍ତି । ସେହିପରି ପୁରୀରେ ଆସନ୍ତା ୧୮ ତାରିଖରେ ଏହି ସୋ ହେବାକୁ ଥିବା ବେଳେ ୧୭ ତାରିଖରେ ଅଭ୍ୟାସ କରାଯିବ ।
