ଶ୍ରୀନଅରରେ ସୁନିଆଁ ପର୍ବ, ନୂତନ ଅଙ୍କ ବର୍ଷର ଘୋଷଣା
ପୁରୀ : ପୁରୀ ଗଜପତିଙ୍କ ଶ୍ରୀନଅରରେ ଅନୁଷ୍ଠିତ ହୋଇଯାଇଛି ସୁନିଆଁ ପର୍ବ। ଏହି ଅବସରରେ ଆୟୋଜିତ ଏକ ସମାରୋହରେ ଗଜପତି ସିଂହାସନ ଆରୋହଣ କରିବା ପରେ ନୂତନ ଅଙ୍କ ବର୍ଷର ଘୋଷଣା କରାଯାଇଥିଲା। ରାଜଗୁରୁ ଓ ଶାସନ ବ୍ରାହ୍ମଣ ମାନେ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିବା ସହ ଭେଟି ମଧ୍ୟ ପ୍ରଦାନ କରିଥିଲେ। ଗଜପତି ଦିବ୍ୟସିଂହ ଦେବ ପାରମ୍ପରିକ ବେଶ ପୋଷାକରେ ସିଂହାସନ ଆରୋହଣ କରିଥିଲେ। ପରେ ରାଜଗୁରୁ ମାନେ ଗଜପତିଙ୍କୁ ବନ୍ଦାପନା କରିବା ସହ ଗଜପତିଙ୍କ ଶାସନର ୬୪ତମ ଅଙ୍କ ଓ ନୂତନ ସାଲ ୧୪୨୯ର ଘୋଷଣା ହୋଇଥିଲା। ଗଜପତି ମହାରାଜାଙ୍କ ବ୍ୟକ୍ତଗତ ସଚିବ, ବେହେରା କରଣଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ମା’ କନକ ଦୁର୍ଗାଙ୍କ ସହ ଶ୍ୟାମାକାଳୀ, ରାଧାକୃଷ୍ଣ, ଶ୍ରୀନୃସିଂହ ଆଦି ଦେବଦେବୀଙ୍କଠାରେ ଗଜପତି ମହାରାଜଙ୍କ ବିଶେଷ ପୂଜାବିଧି ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜ ଦେବାଦେବୀଙ୍କୁ ପୁଷ୍ପାଞ୍ଜଳି ଓ ମଙ୍ଗଳାର୍ପଣ ପୂର୍ବକ ବିଶ୍ବର ମଙ୍ଗଳ କାମନା କରିଥିଲେ। ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହୋଇଥିଲା। ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନୀତି ସମ୍ପନ୍ନ ହୋଇଥିଲା। ସୁବର୍ଣ୍ଣ ମୁଦ୍ରାରୁ ପୁରୁଣା ଅଙ୍କ ୬୩କୁ ଲିଭାଯାଇ ନୂଆ ଅଙ୍କ ୬୪ ଉଲ୍ଲେଖ ପୂର୍ବକ ସୁବର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା। ରାଜଗୁରୁଙ୍କ ଉପସ୍ଥିତିରେ ବରାହ, ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବଦେବୀଙ୍କ ଚିହ୍ନ ଥିବା ଏହି ନୂଆ ସୁବର୍ଣ୍ଣ ମୁଦ୍ରାକୁ ଶ୍ରୀନଅର କରଣମାନେ ପ୍ରଚଳନ କରିବା ପରେ ଗଜପତି ମହାରାଜ ଏହାର ବିଧିବଦ୍ଧ ଘୋଷଣା କରିଥିଲେ। ପ୍ରତିବର୍ଷ ଗଜପତି ମହାରାଜାଙ୍କ ରାଜତ୍ୱ ତଥା ଶାସନର ନୂଆ ଅଙ୍କ ଓ ସାଲ ଘୋଷଣା ହେବାର ପରମ୍ପରା ରହିଛି।
