୧୩ରୁ ୧୫ ଯାଏ ଗ୍ରୀଷ୍ମ ଲହରି, ଏହିସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଏସ୍ଓପି ଜାରି କଲେ ଏସ୍ଆର୍ସି
ଭୁବନେଶ୍ବର : ରାଜ୍ୟରେ ଆସନ୍ତା ୪ ଦିନରେ ରାଜ୍ୟର ତାପମାତ୍ରା ଆହୁରି ବଢ଼ିବ। ପାଖାପାଖି ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଧୀରେଧୀରେ ଦିନ ତାପମାତ୍ରା ବଢ଼ିବ। ୧୩ରୁ ୧୫ ତାରିଖ ଯାଏ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲାରେ ଗ୍ରୀଷ୍ମପ୍ରବାହ ପାଇଁ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୧୩ ତାରିଖ ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲାରେ ଗ୍ରୀଷ୍ମ ପ୍ରବାହଜନିତ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ୧୪ ତାରିଖ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲା ଏବଂ ୧୫ ତାରିଖ ପାଇଁ ଦେବଗଡ଼, ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏଣୁ ଏହି ସମୟରେ ଅତ୍ୟଧିକ ଖରାକୁ ନ ଯିବା, ଘରୁ ବାହାରିଲେ ପାଣିବୋତଲ, ଛତା ଓ ଓଦା କପଡ଼ା ନେଇ ଯିବା ଏବଂ ଅସୁସ୍ଥ, ବୃଦ୍ଧ ଓ ଶିଶୁଙ୍କୁ ଖରାଠାରୁ ଦୂରେଇ ରଖିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଏହାବ୍ୟତୀତ, ଶରୀରରୁ ଜଳୀୟ ଅଂଶ କମି ଯିବାର ସମ୍ଭାବନା ଥିବାରୁ ପ୍ରଚୁର ଲେମ୍ବୁ ପାଣି, ତୋରାଣି, ଘୋଳ ଦହି, ଆଖୁ ରସ, ପଇଡ଼, ବେଲପଣା, ଓଆର୍ଏସ୍ ଓ ଲସି ଇତ୍ୟାଦି ପିଇବାକୁ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି। ଆଖୁ, ଗ୍ରୀଷ୍ମକାଳୀନ ମକା ଓ ଡାଲିଜାତୀୟ ଶସ୍ୟରେ ଜଳସେଚନ ଜାରି ରଖିବାକୁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି।
ରାଜ୍ୟରେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ ଏସ୍ଓପି ଜାରି କରିଛନ୍ତି। ଜିଲାସ୍ତରରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଗତ ଦୁଇଦିନ ହେଲା ତାତି ବଢ଼ିଥିବାବେଳେ ଜୁନ୍ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ। ତେଣୁ ଲୋକଙ୍କୁ ଏନେଇ ଅଧିକରୁ ଅଧିକ ସଚେତନ କରିବାକୁ କୁହାଯାଇଛି। ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ କ’ଣ କରିବେ, କ’ଣ କରିବେନି ସେନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରିବାକୁ କୁହାଯାଇଛି। ଯେଉଁ ଗାଁ, ୱାର୍ଡ, ପଡ଼ାରେ ଜଳସଙ୍କଟ ସ୍ଥିତି ଅଛି ସେଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ କରିବାକୁ କୁହାଯାଇଛି। ଖରାପ ନଳକୂପକୁ ମରାମତି କରିବା, କେନାଲରେ ପାଣି ଛାଡ଼ିବା, ପାନୀୟ ଜଳସେବା କେନ୍ଦ୍ର ଖୋଲିବା, ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ କୁହାଯାଇଛି। ଏହାସହ ସମସ୍ତ ପିଏଚ୍ସି, ସିଏଚ୍ସି, ସବ୍ଡିଭିଜନ, ଜିଲା ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍, ଓଆର୍ଏସ୍ ରଖାଯିବ। ଅଂଶୁଘାତ ୱାର୍ଡ ଖୋଲିବ, ସମସ୍ତ ଯାତ୍ରୀବାହୀ ବସ୍ରେ ପାଣି, ଓଆର୍ଏସ୍ ରଖିବା, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ କାମ କରିବେନି, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବାକୁ କୁହାଯାଇଛି। ଯେଉଁଠି ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିବ ସେଠାରେ ତହସିଲଦାର/ଅତରିକ୍ତ ତହସିଲଦାର କିମ୍ବା ରାଜସ୍ବ ଅଧିକାରୀଙ୍କ ସହ ସିଡିଏମ୍ଓ/ଏସ୍ଡିଏମ୍ଓ ଏହାର ତଦନ୍ତ କରି ରିପୋର୍ଟ ଦେବେ। ଅଂଶୁଘାତ ମୃତ୍ୟୁ ପ୍ରମାଣିତ ହେଲେ ତୁରନ୍ତ କ୍ଷତିପୂରଣ ଦେବା ବ୍ୟବସ୍ଥା କରାଯିବ। ଜିଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଜିଲାସ୍ତରରେ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିବାକୁ କୁହାଯାଇଛି।
ସୂଚନା ଯେ, ଗତ ମଙ୍ଗଳାବର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୬ ଡିଗ୍ରି ବାରିପଦାରେ ରେକର୍ଡ ହୋଇଥିଲା। ଏହା ପଛକୁ ରହିଛି ଝାରସୁଗୁଡ଼ା (୪୧.୨ ଡିଗ୍ରି ଓ ସମ୍ବଲପୁର (୪୦.୮ ଡିଗ୍ରି)। ଏହି ପରିପ୍ରେକ୍ଷୀରେ ଚଳିତବର୍ଷ ପ୍ରଥମଥର ପାଇଁ ଦ୍ବୈତନଗରୀର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିଲା। ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୪୦.୭ ଡିଗ୍ରି ଓ କଟକରେ ୪୦ ଡିଗ୍ରି ରହିଥିଲା। ଏଥିସହ ବୌଦ୍ଧ ଓ ଟିଟିଲାଗଡ଼(୪୦.୫ ଡିଗ୍ରି), ଅନୁଗୁଳ ଓ ସୁନ୍ଦରଗଡ଼ରେ ମଧ୍ୟ ୪୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା।
