ସୁଲ୍ତାନ ଜୋହର କପ୍ ପ୍ରତିଯୋଗିତା : ମାଲେସିଆକୁ ୫-୨ ଗୋଲ୍ରେ ହରାଇଲା ଭାରତ
ନୂଆଦିଲ୍ଲୀ : ସୁଲ୍ତାନ ଜୋହର କପ୍ ପ୍ରତିଯୋଗିତାରେ ଜବରଦସ୍ତ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ କନିଷ୍ଠ (୨୧ ବର୍ଷରୁ କମ୍) ହକି ଦଳ। ମାଲେସିଆର ଜୋହର ବହରୁଠାରେ ଶନିବାରଠାରୁ ଆରମ୍ଭ ହୋଇଥିବା ସବୁଠୁ ସମ୍ମାନଜନକ ଏହି ପ୍ରତିଯୋଗିତାର ପ୍ରଥମ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ ଭାରତ ଓ ମାଲେସିଆ। ହେଲେ ଭାରତ ୫-୨ ଗୋଲ୍ରେ ଆୟୋଜକ ମାଲେସିଆକୁ ପରାସ୍ତ କରିଥିଲା। ବିଜୟୀ ଦଳ ପକ୍ଷରୁ ଅମନଦୀପ (୬ ମିନିଟ୍), ଅରିଜିତ ସିଂହ ହୁଣ୍ଡାଲ (୧୦ ମିନିଟ୍), ବବି ସିଂହ ଧାମୀ (୨୦ ମିନିଟ୍), ସୁଦୀପ ଚିର୍ମାକୋ (୨୬ ମିନିଟ୍) ଓ ଶାରଦାନନ୍ଦ ତିୱାରୀ (୫୬ ମିନିଟ୍) ଗୋଲ୍ କରିଥିଲା ବେଳେ ମାଲେସିଆ ପକ୍ଷରୁ ସାହମୀ ଇର୍ଫାନ ସୁହାଇମୀ (୧୩ ମିନିଟ୍) ଓ ମହମ୍ମଦ ମମତ (୫୨ ମିନିଟ୍) ଗୋଲ୍ ଶୁଝି ପାରିଥିଲେ। ଭାରତ ତା’ର ପରବର୍ତୀ ମ୍ୟାଚ୍ ରବିବାର ଦକ୍ଷିଣ ଆଫ୍ରିକା ସହ ଖେଳିବ।
ମାଲେସିଆରେ ୨୦୧୧ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଭାରତ ଲାଗ ଲାଗ (୨୦୧୩ ଓ ୨୦୧୪) ଦୁଇ ଥର ବିଜେତା ହୋଇଥିଲା ବେଳେ ଗତ ସଂସ୍କରଣରେ ଇଂଲଣ୍ଡ ନିକଟରୁ ୧-୨ ଗୋଲ୍ରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଇଂଲଣ୍ଡ ସର୍ବାଧିକ ୩ ଥର (୨୦୧୫, ୨୦୧୮ ଓ ୨୦୧୯) ଏବଂ ଅଷ୍ଟ୍ରେଲିଆ ଦୁଇ ଥର (୨୦୧୬ ଓ ୨୦୧୭) ବିଜେତା ହେବାର ଗୌରବ ବହନ କରିଛି। ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ ମାଲେସିଆ ଥରେ (୨୦୧୧ ପ୍ରଥମ ସଂସ୍କରଣ) ବିଜେତା ହୋଇଥିଲା ବେଳେ ଜର୍ମାନି (୨୦୧୨) ମଧ୍ୟ ଥରେ ବିଜେତା ହୋଇଛି। ତେବେ କୋଭିଡ୍ ମହାମାରୀ ପାଇଁ ଗତ ଦୁଇ ବର୍ଷ ହେଲା ଏହି ପ୍ରତିଯୋଗିତା ବାତିଲ ହୋଇଥିଲା। ଚଳିତ ଦଶମ ସଂସ୍କରଣରେ ଭାରତ, ବ୍ରିଟେନ, ମାଲେସିଆ, ଅଷ୍ଟ୍ରେଲିଆ, ଜାପାନ ଓ ଦକ୍ଷିଣ ଆଫ୍ରିକା ଅଂଶଗ୍ରହଣ କରିଛନ୍ତି।
