ସୁଲତାନ ଜୋହର କପ୍: ଜାପାନକୁ ୫-୧ ଗୋଲ୍ରେ ହରାଇଲା ଭାରତ
ଜୋହର: ଚଳିତ ସୁଲ୍ତାନ ଜୋହର କପ୍ ପ୍ରତିଯୋଗିତାରେ ଭାରତୀୟ କନିଷ୍ଠ (୨୧ ବର୍ଷରୁ କମ୍) ହକି ଦଳ ମଙ୍ଗଳବାର ଦ୍ବିତୀୟ ବିଜୟ ପାଇଛି। ପ୍ରଥମ ମ୍ୟାଚ୍ରେ ଆୟୋଜକ ମାଲେସିଆକୁ ହରାଇଥିବା ଏହି ଦଳ ରବିବାର ଦକ୍ଷିଣ ଆଫ୍ରିକାଠୁ ପରାସ୍ତ ହୋଇଥିଲା। ହେଲେ ମଙ୍ଗଳବାର ନିଜର ତୃତୀୟ ମ୍ୟାଚ୍ରେ ଭାରତ ୫-୧ ଗୋଲ୍ରେ ଜାପାନ୍କୁ ମାତ୍ ଦେଇ ପୂରା ୩ ପଏଣ୍ଟ କରାୟତ୍ତ କରିଛି। ବୁଧବାର ଚତୁର୍ଥ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ଭେଟିବ।
ମ୍ୟାଚ୍ର ତୃତୀୟ ମିନିଟ୍ରେ ଅଧିନାୟକ ଉତ୍ତମ ସିଂହଙ୍କ ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୧୨ତମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ରୋହିତ ଗୋଲ୍ରେ ପରିଣତ କରି ସ୍ଥିତି ୨-୦ କରିଥିଲେ। ହେଲେ ପ୍ରଥମ କ୍ବାର୍ଟରର ଶେଷ ମିନିଟ୍ରେ ଜାପାନର ଇକୁମି ସାଇକି ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ସ୍ଥିତି ୧-୨ କରିଥିଲେ। ଦ୍ବିତୀୟ କ୍ବାର୍ଟରରେ ଜନସନ୍ ପୁର୍ତି (୨୧ ମିନିଟ୍)ଙ୍କ ଗୋଲ୍ରେ ଭାରତ ପ୍ରଥମାର୍ଦ୍ଧକୁ ୩-୧ରେ ଶେଷ କରିଥିଲା। ତୃତୀୟ କ୍ବାର୍ଟରରେ ବବି ସିଂହ ଧାମି (୩୧ ମିନିଟ୍) ଏବଂ ଚତୁର୍ଥ କ୍ବାର୍ଟରରେ ଅମନଦୀପ ଲାକ୍ରା (୫୧ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଭାରତର ବିଜୟ ନିଶ୍ଚିତ କରିଥିଲେ।
