ସବ୍ୟସାଚୀ ମହାପାତ୍ରଙ୍କ ନେତୃତ୍ୱରେ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ନୀଳଗିରି : ପୌର ନିର୍ବାଚନ ପାଇଁ ସରିଲା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଏହି ପରିପ୍ରେକ୍ଷୀରେ ରାଜନୀତି ସରଗରମ ରହିଛି । ବିଦ୍ରୋହୀଙ୍କ ଭୟରେ ପାଦେ ପାଦେ ମାପି ବାଟ ଚାଲୁଛନ୍ତି ପ୍ରମୁଖ ଦଳ । ଶେଷ ଦିନରେ ସବ୍ୟସାଚୀ ମହାପାତ୍ରଙ୍କ ନେତୃତ୍ୱରେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ପରେ ପ୍ରମୁଖ ଦଳ ମଧ୍ୟରେ ପୁଣି ଭାଳେଣି ପଡ଼ିଛି ।
ସୋମବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ଥିଲା । ନୀଳଗିରି ଏନ.ଏ.ସିର ନିର୍ବାଚନ ପରିପ୍ରେକ୍ଷୀରେ ନୀଳଗିରି ଯୁବ ସମାଜସେବୀ ସବ୍ୟସାଚୀ ମହାପାତ୍ର ଓରଫ ଟୁବୁଲୁଙ୍କ ନେତୃତ୍ୱରେ ୩ଗୋଟି ୱାର୍ଡରେ କାଉନସିଲର ପ୍ରାର୍ଥୀ ଓ ଚେୟାରମ୍ୟାନ ପ୍ରାର୍ଥୀ ସ୍ୱାଧୀନଭାବେ ନିଜ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଗତ ପଂଚାୟତ ନିର୍ବାଚନରେ ସବ୍ୟସାଚୀ ମହାପାତ୍ର ବିଭିନ୍ନ ପଂଚାୟତର ପ୍ରାର୍ଥୀ ଦେଇ ନିଜର ଲୋକପ୍ରିୟତା ବଜାୟ ରଖିଥିଲେ ।
ସୂଚନା ଥାଉକି ସବ୍ୟସାଚୀ ମହାପାତ୍ର ପୂର୍ବରୁ ନୀଳଗିରି ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ପଦରୁ କୌଣସି କାରଣ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା । ଗତ ପଂଚାୟତ ନିର୍ବାଚନ ପୂର୍ବରୁ ଦଳ ତାଙ୍କ ଉପରୁ ଶେଷ ମୁହୂର୍ତରେ ନିଲମ୍ବନ ପ୍ରତ୍ୟାହାର କରିଥିଲେ ମଧ୍ୟ ସେ ଦଳକୁ ନ ଫେରି ସ୍ୱାଧୀନ ଭାବେ ନିଜର ପ୍ରାର୍ଥୀ ଛିଡ଼ା କରାଇଥିଲେ । ଏହା ଦ୍ୱାରା ଶାସକ ବିଜେଡି ଦଳକୁ ଏକ ଶକ୍ତ ଧକ୍କା ଲାଗିଥିଲା । ଚଳିତ ପୌର ନିର୍ବାଚନ ରେ ଶାସକ ଦଳ ବିଦ୍ରୋହୀଙ୍କ ଭୟରେ ପାଦେ ପାଦେ ମାପି ବାଟ ଚାଲୁଥିବା ବେଳେ ଆଜିର ନୋମିନେସନକୁ ନେଇ ଶକ୍ତ ଧକ୍କା ଲାଗିପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।
