ନବମ ଓ ଦଶମ ଶ୍ରେଣୀ ପିଲା ପଢିବେ ନୂଆ ବିଷୟ
ଭୁବନେଶ୍ୱର : ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ସାମିଲ ହେବ ନୂଆ ବିଷୟ । ଆସପିରେସନାଲ୍ କମ୍ପୋନେଂଟ ନାମରେ ନୂଆ ବିଷୟକୁ ସାମିଲ କରାଯାଇଛି । ଚଳିତ ବର୍ଷ ନବମ ଶ୍ରେଣୀରୁ ଏବଂ ଆସନ୍ତା ବର୍ଷଠାରୁ ଉଭୟ ନବମ ଏବଂ ଦଶମରେ ଲାଗୁ ହେବ । ଆସପିରେସନାଲ୍ କମ୍ପୋନେଂଟରେ ୪ଟି ବିଭାଗ ରହିବ । ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲାର ଆକ୍ଟିଭିଟି, ବେସିକ୍ ଆଇଟି ସ୍କିଲ୍ ରହିବ । ପ୍ରତିଟି ବିଷୟ ପାଇଁ ୨୫ ମାର୍କ ରହିଛି ।
ଚାରୋଟି ପର୍ଯ୍ୟାୟରେ ଏହି ପରୀକ୍ଷା କରାଯିବ । ପ୍ରଥମ ତିନୋଟି ପର୍ଯ୍ୟାୟରେ ୫ ମାର୍କ ଲେଖାଁଏ ପରୀକ୍ଷା କରିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ଶେଷ ପର୍ଯ୍ୟାୟରେ ୧୦ ମାର୍କ ପାଇଁ ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ତେବେ ଏହି ବିଷୟ ଗୁଡିକରେ ଛାତ୍ରଛାତ୍ରୀ ରଖିଥିବା ମାର୍କ ଗୁଡ଼ିକ ପ୍ରତିଶତ ଆଧାରରେ ଗ୍ରେଡ ପ୍ରଦାନ କରାଯିବ । ଏହି ଗ୍ରେଡ ହାଇସ୍କୁଲ ସାର୍ଟିଫିକେଟରେ ପ୍ରତିଫଳିତ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସେ ସୂଚନା ଦେଇ କହିଛନ୍ତି ଯେ ଏହି ବିଷୟରେ ପିଲା ଫେଲ୍ ହେବେ ନାହିଁ । ପ୍ରତିଶତ ଆଧାରରେ ପିଲାଙ୍କୁ ଗ୍ରେଡ୍ ପ୍ରଦାନ କରାଯିବ । ୮୦ ପ୍ରତିଶତ କିମ୍ବା ତା ଠାରୁ ଅଧିକ ମାର୍କ ରଖିଲେ ଏ ଗ୍ରେଡ୍ ଦିଆଯିବ । ସେହିପରି ୬୦ରୁ ୮୦ ପ୍ରତିଶତ ରହିଲେ ବି , ୪୦ରୁ ୬୦ ରହିଲେ ସି ଏବଂ ୪୦ ପ୍ରତିଶତ ପର୍ଯ୍ୟନ୍ତ ଡି ଗ୍ରେଡ୍ ପ୍ରଦାନ କରାଯିବ ।
