+୨ ସ୍ୱତନ୍ତ୍ର ପରୀକ୍ଷା ପରେ ମଧ୍ୟ +୩ରେ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ)ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ +୨ ସ୍ୱତନ୍ତ୍ର ପରୀକ୍ଷା ଦେବା ପରେ ମଧ୍ୟ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀ,ମନ୍ତ୍ରୀଙ୍କ ଆଲୋଚନା ପରେ ଘୋଷଣା କରାଯାଇଛି। ସ୍ନାତକ(+୩)ରେ +୨ ଅସନ୍ତୁୁଷ୍ଟ ବିଦ୍ୟାର୍ଥୀଙ୍କ ଫଳ ପ୍ରକାଶ ପାଇବା ପରେ ମଧ୍ୟ ନାମ ଲେଖାର ସୁଯୋଗ ପାଇବେ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ।
+୨ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି। ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବା ପରେ କୃତକାର୍ଯ୍ୟ ହେଲେ ନିଜ ମନ ପସନ୍ଦର +୩ ମହାବିଦ୍ୟାୟରେ ନାମ ଲେଖାଇପାରିବେ। ‘ସିଏଚ୍ଏସ୍ଇର ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନା, ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ’ ଶୀର୍ଷକ ୪ ତାରିଖ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ଏନେଇ ପ୍ରଶାସନିକ ସ୍ଥରରେ ତତ୍ପରତା ପ୍ରକାଶ ପାଇଥିଲା। ଏହି ପ୍ରସଙ୍ଗକୁ ନେଇ ଦୁଇ ବିଭାଗର ଅଧିକାରୀଙ୍କ ମଧ୍ୟରେ ଆଲୋଚନା କରାଯାଇଛି। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ ଶନିବାର ଘୋଷଣା କରି କହିଛନ୍ତି ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ନାତକ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ଏହା ଅକ୍ଟୋବର କିମ୍ବା ସ୍ବତନ୍ତ୍ର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ +୩ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଏହି ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବ ବୋଲି ସେ କହିଛନ୍ତି। ଯେଉଁ ବିଦ୍ୟାର୍ଥୀ ମନ ପସନ୍ଦର ଶିକ୍ଷାନୁଷ୍ଠାନରେ ପାଠ ପଢିବାକୁ ଚାହିଁବେ ସେଠାରେ ଶେଷ ପର୍ଯ୍ୟାୟରେ ଥିବା କଟ୍ଅଫ୍ ମାର୍କ ମୁତାବକ ନାମ ଲେଖାଇପାରିବେ। ଆବଶ୍ୟକତା ମୁତାବକ ଆସନକୁ ବଢାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
