ସୁରକ୍ଷିତ ଫେରିବେ ୟୁକ୍ରେନରେ ଫଶି ରହିଥିବା ଛାତ୍ରଛାତ୍ରୀ ଓ ଶ୍ରମିକ : ମୁଖ୍ୟମନ୍ତ୍ରୀ
ହେଲ୍ପ ଲାଇନ ନମ୍ବର ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ୱର : ୟୁକ୍ରେନ ଉପରେ ରୁଷର ସାମରିକ ଆକ୍ରମଣ ପରେ ସେଠାରେ ଫଶି ରହିଥିବା ଓଡିଆ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ସେମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।
ପୂର୍ବରୁ ଶୁକ୍ରବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଓଡିଆ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ । ସେଠାରେ ଫସି ରହିଥିବା ସମସ୍ତ ଓଡ଼ିଆଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଶ୍ରୀ ସାହାଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ନିଜସ୍ୱ ଖର୍ଚ୍ଚରେ ସମସ୍ତଙ୍କୁ ଫେରାଇ ଆଣିବା ନେଇ ଘୋଷଣା କରିଛନ୍ତି । ଏନେଇ ସେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅବଗତ କରାଇଛନ୍ତି । ଅନ୍ୟପକ୍ଷରେ ୟୁକ୍ରେନରେ ଫସିଥିବା ତାମିଲ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ତାମିଲନାଡ଼ୁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଘୋଷଣା କରିଛନ୍ତି । ତାମିଲନାଡ଼ୁ ସରକାରଙ୍କ ଏହି ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିଷ୍ପତି ନେଇଥିବା କୁହାଯାଉଛି । ୟୁକ୍ରେନରେ ଫସି ରହିଥିବା ଓଡିଆଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ହ୍ୱାଟ୍ସ ଆପ୍ ନମ୍ବର : ୯୧+ ୮୫୨୭୫ ୮୦୨୪୫ ଓ ହେଲ୍ପ ଲାଇନ ନମ୍ବର : ୦୧୧-୨୩୦୧୨୭୫୧ ଜାରି ହୋଇଛି ।
