ବିଭିନ୍ନ ଦାବି ନେଇ ଛାତ୍ର-ଶିକ୍ଷକ-ଅଭିଭାବକ ମିଳିତ ମଞ୍ଚର ବୋର୍ଡ଼ ଅଫିସ୍ ସମ୍ମୁଖରେ ପ୍ରତିବାଦ ଧାରଣା
ବାଲେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ବାଲେଶ୍ୱର ଶାଖା କାର୍ଯ୍ୟାଳୟ ସମ୍ମୁଖରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଓ କେଉଁଝର ଜିଲାର ଶିକ୍ଷକ, ଛାତ୍ର, ଅଭିଭାବକ ମିଳିତ ମଞ୍ଚ ତରଫରୁ ପ୍ରତିବାଦ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୧ଟା ସମୟରେ ବାଲେଶ୍ୱର ବସ୍ଷ୍ଟାଣ୍ଡରୁ ଶହଶହ ଶିକ୍ଷୟିତ୍ରୀଶିକ୍ଷକ ଶୋଭାଯାତ୍ରାରେ ବାହାରି ବାଲେଶ୍ୱର ବୋର୍ଡ଼ ଶାଖା କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଫର୍ମେଟିଭ ଏସେସମେଣ୍ଟ, ସାମେଟିଭ ଏସେସମେଣ୍ଟ, ପରୀକ୍ଷା ବ୍ୟବସ୍ଥା, ମାଇଗ୍ରେସନ, ସାର୍ଟିଫିକେଟ୍ ଫି’ କଲେକସନ୍, ନିମ୍ନ ମାନର ମାଟ୍ରିକ ସାର୍ଟିଫିକେଟ୍ ପ୍ରଦାନ, ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ବ୍ୟବସ୍ଥା, ନୂତନ ଅନୁଦାନଭୁକ୍ତ ବିଦ୍ୟାଳୟର ସ୍ୱୀକୃତି ନବୀକରଣ ପାଇଁ ବର୍ଷକୁ ୪ହଜାର ଟଙ୍କା ଫି’ ଆଦାୟ ବିରୋଧରେ ଶତାଧିକ ଛାତ୍ର, ଶିକ୍ଷକ ଓ ଅଭିଭାବକ ମିଳିତ ଭାବରେ ଧାରଣାରେ ଯୋଗଦେଇଥିଲେ । ନୂତନ ପରୀକ୍ଷା ବ୍ୟବସ୍ଥା ପ୍ରଚଳନ ସମୟରେ ଶିକ୍ଷକ-ଛାତ୍ର-ଅଭିଭାବକ ପ୍ରତିନିଧିଙ୍କର ପରାମର୍ଶ ନନେବା, ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶନ ବେଳେ ବିଗତ ୫ ବର୍ଷର ପରୀକ୍ଷା ଫଳକୁ ବିଚାରକୁ ନେବା ଭଳି ଦାବି କରାଯାଇଥିଲା ।
ପ୍ରତିବାଦ ସଭାରେ ବାଲେଶ୍ୱର ଜିଲା ସଭାପତି ବାଦଲ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଧାରଣାସ୍ଥଳରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଓଷ୍ଟା ରାଜ୍ୟ କାର୍ଯ୍ୟକାରୀ ସଭାପତି ଭିକାରୀ ଚରଣ ସାହୁ, ରାଜ୍ୟ ସମ୍ପାଦକ କାହ୍ନୁଚରଣ ସାମଲ ଓ ସୁରଜିତା ନାୟକ, ବାଲେଶ୍ୱର ସମ୍ପାଦକ ମନୋରଞ୍ଜନ ଦାସ, ମୟୂରଭଞ୍ଜ ସମ୍ପାଦକ ଚିତ୍ତରଞ୍ଜନ ପାଲଟା, ଭଦ୍ରକ ସମ୍ପାକ ପ୍ରଦୀପ୍ତ କୁମାର ଦାସ, କେଉଁଝର ସମ୍ପାଦକ ପ୍ରଶାନ୍ତ ମିଶ୍ର, ମୟୂରଭଞ୍ଜ-୨ ସମ୍ପାଦକ ଦୂର୍ଯ୍ୟଧନ ରାଉତ, ପ୍ରାକ୍ତନ ଓଷ୍ଟା ଯୁଗ୍ମ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମିଶ୍ର, ଏଆଇଏସ୍ଏଫ୍ ଛାତ୍ର ନେତା ତପନ ସିଟ, ଶିକ୍ଷା ପ୍ରଦୀପର ଯୁଗ୍ମ ସମ୍ପାଦକ ସୁରେନ୍ଦ୍ର ପ୍ରସାଦ ବେହେରା, ଏଆଇଡିଏସ୍ଓ ଛାତ୍ର ନେତା ପ୍ରଶାନ୍ତ କୁମାର ଦାସ ପ୍ରମୁଖ ବକ୍ତବ୍ୟ ଦେଇ ସରକାର ତଥା ମାଧ୍ୟମିକ ଶିକ୍ଷା ପରିଷଦ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ, ବୋର୍ଡ଼ ସଭାପତିଙ୍କ ଉଦ୍ଦେଶ୍ୟରେ ଶାଖା କାର୍ଯ୍ୟାଳୟର ଡେପୁଟି ସମ୍ପାଦକଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

