ଋଷକୁ କଡା ଜବାବ! ସୈନ୍ୟ ବିମାନକୁ ଧ୍ୱଂସ କଲା ୟୁକ୍ରେନ
ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଆଜି ତୃତୀୟ ଦିନରେ ଜାରି ରହିଛି । ଋଷ ସେନା ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ କବଜା କରି ଚାଲିଛି । ରାଜଧାନୀ କିଭରେ ମଧ୍ୟ ପୁଟିନଙ୍କ ସେନା ପଶିଲେଣି । ତେବେ ୟୁକ୍ରେନ ମଧ୍ୟ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଜୋରଦାର ପ୍ରୟାସ କରୁଛି । ଋଷକୁ କାଉଣ୍ଟର୍ ଦେଉଛି ।
ୟୁକ୍ରେନ ସେନା ଦାବି କରିଛି ଯେ, ସେମାନେ ଋଷକୁ କଡା ଜବାବ ଦେଉଛନ୍ତି । ସେମାନେ ପାରାଚ୍ୟୁଟ ସହ ଋଷର ଅନେକ ପରିବହନ ବିମାନକୁ ମାରି ଖସାଇ ଦେଇଛନ୍ତି । ଏଥିରେ ଅନେକ ସୈନ୍ୟ ରହିଥିଲେ । ତେବେ ଏଥିରେ କେତେ ଯବାନ ଥିଲେ ତାହା ଜଣାପଡିନାହିଁ । ଆହୁରି ମଧ୍ୟ ୟୁକ୍ରେନ ସେନା କହିଛି ଯେ, କିଭରୁ ୪୦ କିମି ଦୂରରେ ମିଲଟାରୀ ପ୍ଲେନ ଆଇଏଲ-୭୬କୁ ଧ୍ୱଂସ କରିଛନ୍ତି । ତେବେ ଏନେଇ ଋଷ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।
ଏହାପୂର୍ବରୁ ୟୁକ୍ରେନ ସରକାର କହିଥିଲେ ଯେ, ଋଷ ଯୁଦ୍ଧ ଜାହାଜ କୃଷ୍ଣ ସାଗର ଓ ଓଡେଶା ବନ୍ଦରରେ ଦୁଇଟି ମାଲବାହୀ ଜାହାଜକୁ ଟାର୍ଗେଟ୍ କରିଥିଲା । ଏଥିରେ ଶତାଧିକ ପ୍ରାଣ ହରାଇଥିଲେ । ଅଣସାମରିକ ଜାହାଜକୁ ମଧ୍ୟ ପୁଟିନଙ୍କ ସେନା ଟାର୍ଗେଟ କରି ଧ୍ୱଂସ କରିପକାଇଥିଲା । ଏହାପୂର୍ବରୁ ତୁର୍କୀରୁ ୟୁକ୍ରେନ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ବୋମାମାଡ ହୋଇଥିଲା ।
