କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାନ୍ତୁ : କେନ୍ଦ୍ର ଗୃହ ସଚିବ
- ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ଗୃହ ସଚିବ ଲେଖିଲେ ପତ୍ର
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ର ଅଂଚଳର ମୁଖ୍ୟ ସଚିବ ଏବଂ ପ୍ରଶାସକ ମାନଙ୍କୁ ଏକ ଚିଠି ଲେଖି କୋଭିଡ୍-୧୯ ରୋକିବା ପାଇଁ ନିର୍ଦ୍ଦେଶିତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜନଗହଳିପୂର୍ଣ୍ଣ ସ୍ଥାନ ତଥା ଅଂଚଳରେ କରୋନା ମହାମାରୀ ରୋକିବା ପାଇଁ ନିର୍ଦ୍ଦେଶାନାମାକୁ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେବାକୁ କେନ୍ଦ୍ର ଗୃହ ସଚିବ ଅଜୟ ଭଲା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅସନ୍ତୋଷ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ରାଜ୍ୟ ମାନଙ୍କୁ କରୋନା ରୋକିବା ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିବାକୁ ନିର୍ଦ୍ଦେଶ ଦେଇଛି ।
କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ରାଜ୍ୟ ମାନଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ, ଜନଗଳହଳି ପୂର୍ଣ୍ଣ ଅଂଚଳରେ ଶାରୀରିକ ଦୂରତା ଏବଂ ମାସ୍କ ଉପରେ ନଜର ରଖିବା ଏବଂ କରୋନାରୁ ରକ୍ଷା ପାଇଁ ନୂତନ ନିର୍ଦ୍ଦେଶାଳବୀ ପାଳନ କରିବା ପାଇଁ ସେମାନେ ଜିଲ୍ଲା ପ୍ରଶାସନ ତଥା ଅନ୍ୟାନ୍ୟ ସ୍ଥାନୀୟ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେବା ଉଚିତ୍ । ଭଲା ମୁଖ୍ୟ ସଚିବ ମାନଙ୍କୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଯେ, କରୋନା ସଂକ୍ରମଣର ସଂଖ୍ୟା କମିବା କାରଣରୁ ରାଜ୍ୟଗୁଡ଼ିକ ପ୍ରତିବନ୍ଧକ ହଟାଇବା ଆରମ୍ଭ କରିଦେଇଛନ୍ତି, କିନ୍ତୁ ସତର୍କତାର ସହିତ ଏହି ପ୍ରତିବନ୍ଧକକୁ ହଟାଇବା ଉଚିତ୍ ।
