ବଳଭଦ୍ର ଜନ୍ମ
ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ଭଗବାନ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି ପୁରାଣରେ ଉଲ୍ଲେଖ ରହିଛି । ସେ ଭଗବାନ ଶ୍ରୀକୃଷ୍ଣଙ୍କ ଜ୍ୟେଷ୍ଠ ଭ୍ରାତା । ଜଗନ୍ନାଥ ସଂସ୍କୃତିରେ ବଳରାମଙ୍କୁ ବଳଭଦ୍ର ନାମରେ ପୂଜା କରାଯାଇଥାଏ । ବସୁଦେବଙ୍କ ଔରସରୁ ରୋହିଣୀଙ୍କ ଗର୍ଭରୁ ବଳରାମ ଜାତ ହୋଇଥିବାରୁ ପୁରାଣରୁ ଜଣାଯାଏ । ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା ଦିନ ବଳରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ । ବଳରାମଙ୍କ ବିବାହ ରେବତ ରାଜାଙ୍କ କନ୍ୟା ରେବତୀଙ୍କ ସହ ହୋଇଥିଲା । ତାଙ୍କର ଦୁଇ ପୁତ୍ର ଥିଲେ ନିଶଠ ଏବଂ ଉଲ୍ଲୁକ । ବଳରାମ ଥିଲେ ଭଗବାନ ବିଷ୍ଣୁଙ୍କ ସେବକ ଶେଷନାଗଙ୍କ ଅବତାର । ସେ ହଳଧର, ହଳୟୁଦ୍ଧ, ସଂକର୍ଷଣ ଆଦି ନାମରେ ମଧ୍ୟ ପ୍ରସିଦ୍ଧ । ବଳରାମଙ୍କ ପରାକ୍ରମ ସମ୍ବନ୍ଧରେ ପୁରାଣରେ ବର୍ଣ୍ଣନା ରହିଛି । ଗଦା ଯୁଦ୍ଧରେ ସେ ପ୍ରବୀଣ ଥିଲେ । ଦୁର୍ଯ୍ୟୋଧନ ତାଙ୍କ ଠାରୁ ଗଦା ଯୁଦ୍ଧ ଶିକ୍ଷା ଲାଭ କରି ଥିଲେ । ବଳରାମ ଅନେକ ଥର ଜରାସନ୍ଧକୁ ଯୁଦ୍ଧରେ ହରାଇ ଦେଇଥିଲେ । ପୁରାଣରେ ଥିବା ବର୍ଣ୍ଣନା ଅନୁଯାୟୀ, ଦେବକୀ ଏବଂ ବସୁଦେବଙ୍କ ଅଷ୍ଟମ ଗର୍ଭରୁ ଜାତ ସନ୍ତାନ ହାତରେ ମଥୁରା ରାଜା କଂସ ମୃତ୍ୟୁବରଣ କରିବ ବୋଲି ଆକାଶବାଣୀ ହେଲା । ଏହି ଆକାଶବାଣୀ ଶୁଣିବା ପରେ କଂସ ନିଜ ଭଉଣୀ ଦେବକୀ ଏବଂ ଭିଣୋଇ ବସୁଦେବଙ୍କୁ ନେଇ କାରାଗୃହରେ ବନ୍ଦୀ କଲା । ସମୟରେ କ୍ରମେ ଦେବକୀଙ୍କର ଛଅଜଣ ସନ୍ତାନଙ୍କୁ କଂସ ତଳେ କଚାଡ଼ି ମାରିଦେଲା । ଷଷ୍ଠ ଗର୍ଭରେ ବଳରାମ ଜନ୍ମ ହେବାର ଥିଲା । ତେବେ ସେ ଜନ୍ମ ନେବା ପୂର୍ବରୁ ଶ୍ରୀହରି ବିଷ୍ଣୁ ଯୋଗମାୟାଙ୍କ ସହାୟତାରେ ଦେବକୀଙ୍କ ଗର୍ଭରୁ ବଳରାମଙ୍କୁ ନେଇ ରୋହିଣୀଙ୍କ ଗର୍ଭରେ ସ୍ଥାପନ କଲେ । ଦେବକୀଙ୍କ ଗର୍ଭରୁ ଆକର୍ଷଣ କରି ଆଣି ରୋହିଣୀଙ୍କ ଗର୍ଭରେ ସ୍ଥାପନ କରାଯାଇଥିବାରୁ ବଳରାମଙ୍କ ନାମ ଶଙ୍କର୍ଷଣ ହେଲା । ବଳରାମଙ୍କ ବିବାହ ରେବତୀଙ୍କ ସହିତ ହୋଇଥିଲା । ପୁରାଣରେ ଥିବା ବର୍ଣ୍ଣନା ଅନୁଯାୟୀ, ରେବତୀଙ୍କ ଉଚ୍ଚତା ୨୧ ହାତ ଥିଲା । ବଳରାମ ନିଜ ହଳ ସାହାଯ୍ୟରେ ରେବତୀଙ୍କୁ ଟାଣି ଛୋଟ କରିଦେଇଥିଲେ । ଏହା ପରେ ଦୁହିଁଙ୍କ ବିବାହ ହୋଇଥିଲା । ଓଡ଼ିଶାର ପୁରପଲ୍ଲୀରେ ବିଭିନ୍ନ ମଠ ମନ୍ଦିରରେ ବିଶେଷକରି କୃଷ୍ଣ-ବଳରାମ ମନ୍ଦିରରେ ଓ ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାନୀତି ହୋଇଥାଏ । ଏହି ଦିନ ଅଗଣିତ ଆଶ୍ରିତମାନେ ସଂଧ୍ୟା ସମୟରେ ବଳଭଦ୍ରଙ୍କ ପବିତ୍ର ଦର୍ଶନ ପୂର୍ବକ ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି ।
ଅନ୍ୟପକ୍ଷରେ ଶ୍ରାବଣ ମାସରେ ପାଳିତ ହେଉଥିବା ପୂର୍ଣ୍ଣିମାକୁ ଗୋ-ପୂର୍ଣ୍ଣିମା ବା ଗହ୍ମା ପୁନେଇଁ ବା ଝୁଲଣ ପୁନିଅଁ ବା ରାକ୍ଷୀ ପୂର୍ଣ୍ଣିମା କୁହାଯାଏ । ଉତ୍କଳୀୟ ସଂସ୍କୃତିରେ ଏହି ଦିନକୁ ବଳରାମଙ୍କ ଜନ୍ମ ଦିବସ ଭାବେ ଗ୍ରହଣ କରାଯାଇଛି । ଏହି ଦିନରେ ଶ୍ରୀକୃଷ୍ଣଙ୍କ ବଡ଼ ଭାଇ ବଳରାମଙ୍କୁ ପୂଜା କରିବା ସଂପୂର୍ଣ୍ଣ ଓଡ଼ିଆ ପରମ୍ପରା । ବଳରାମ ହେଉଛନ୍ତି ବିଷ୍ଣୁଙ୍କ ଅଷ୍ଟମ ଅବତାର ଏବଂ ଚାଷର ଦେବତା । ଏଣୁ ବଳରାମଙ୍କ ପ୍ରତୀକ ଭାବେ ଗାଈ-ଗୋରୁ ମୁଖ୍ୟତଃ ବଳଦମାନଙ୍କୁ ପୂଜା କରାଯାଏ । ଏକଦା ଧନୀ-ଦରିଦ୍ର ନିର୍ବିଶେଷରେ ଗ୍ରାମବାସୀମାନେ ଗାଁର ଶେଷ ମୁଣ୍ଡରେ ମାଟିରେ ବିରାଟକାୟ ସ୍ତୂପ ବା ଗହ୍ମା ବେଦି ତିଆରି କରି ଏବଂ ତାହାକୁ ବଳଦେବ ଭାବେ ଗ୍ରହଣ କରି ପୂଜା କରୁଥିଲେ । ଭୋଗ ସାମଗ୍ରୀ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟାନ କରାଯାଉଥିଲା । ପୁଣି ଘରେ ଗରେ ଗାଈ-ଗୋରୁଙ୍କୁ ସ୍ନାନ କରାଇ, ସିନ୍ଦୂର ଚନ୍ଦନାଦି ଲଗାଇ ପୂଜା କରି ଖଜା-ପିଠା ଖାଇବାକୁ ଦିଆଯାଉଥିଲା । ପୁରୁଣା କାଳରେ ପାଇକ ପୁଅମାନେ ଏହି ଦିନଟିକୁ ଅତ୍ୟନ୍ତ ଶୁଭ ମନେକରି ଯୁଦ୍ଧ ବିଦ୍ୟା ଶିକ୍ଷା ଆରମ୍ଭ କରୁଥିଲେ । ଏକ ଉଚ୍ଚ ସ୍ଥାନରୁ ତଳକୁ ଲମ୍ଫ ପ୍ରଦାନ କରି ନିଜ ଶୌର୍ଯ୍ୟକୁ ପ୍ରମାଣିତ କରୁଥିଲେ । ଗହ୍ମା-ଡିଆଁ ଏବେବି ବିଭିନ୍ନ ରୂପରେ ଓଡ଼ିଶାର କେତେକ ଅଞ୍ଚଳରେ ତିଷ୍ଠି ରହିଛି । ଆଜିକାଲି ଗହ୍ମା ପୂନେଇଁରେ ଗୋ ପୂଜନ କିଛି ପରିମାଣରେ ଲୋକପ୍ରିୟତା ହରାଇ ଥିବା ଜଣାଯାଏ । ସଂପ୍ରତି ଗୋପୂଜନ ବଦଳରେ ଆମେ ରକ୍ଷା ସୂତ୍ର ବନ୍ଧନକୁ ଅଧିକ ଗୁରୁତ୍ୱ ଦେଉଛେ । ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିର ସମେତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଝୁଲଣ ଯାତ୍ରା ସମାପନ କରାଯାଏ । ଠାକୁରମାନଙ୍କୁ ଦୋଳିରେ ବସାଇ ଝୁଲାଇବା ହେଉଛି ଝୁଲଣ ଯାତ୍ରା । ସାଧାରଣତଃ ରାଧାକୃଷ୍ଣ ମନ୍ଦିର ମାନଙ୍କରେ ଏହି ଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୁଏ । ଶ୍ରାବଣ ମାସ ଶୁକ୍ଳ ପକ୍ଷ ଏକାଦଶୀରୁ ଆରମ୍ଭ ହେଉଥିବା ଏହି ଯାତ୍ରା ପୂର୍ଣ୍ଣିମାରେ ଶେଷ ହୁଏ । ପୁରୀ ବଡ଼ ଦେଉଳରେ ଝୁଲଣ ମଣ୍ଡପରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧିତ୍ୱ କରିଥାଆନ୍ତି ଶ୍ରୀମଦନମୋହନ । ଏମିତି ଏକାଧିକ ଧାର୍ମିକ ଅନୁଷ୍ଠାନମାନ ପାଳିତ ହେଉ ଥିବାରୁ ଶ୍ରାବଣ ପୂର୍ଣ୍ଣିମା ଆମ ସଂସ୍କୃତିରେ ବେଶ୍ ଗୁରୁତ୍ୱପୂର୍ଣ୍ଣ
