ଘଣ୍ଟା ପ୍ରତି ୧୦ କିମି ବେଗରେ ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ‘ଗୁଲାବ’
- ଗୋପାଳପୁରଠାରୁ ୨୭୦ କିଲୋମିଟର ଦୂରରେ
ଭୁବନେଶ୍ୱର : ମାଡି ଆସୁଛି ସାମୁଦ୍ରିକ ଝଡ଼ ‘ଗୁଲାବ’ । ଏହା ବଙ୍ଗୋପସାଗରର ଉତ୍ତରପଶ୍ଚିମ ଦିଗରେ, ଗୋପାଳପୁରଠାରୁ ୩୧୦କିଲୋମିଟର ଏବଂ କଳିଙ୍ଗପଟନମ୍ ଠାରୁ ୪୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଭୀଷଣ ରୂପ ନେଇଥିବା ବାତ୍ୟା ‘ଗୁଲାବ’ ଏବେ ଗୋପାଳପୁରଠାରୁ ୨୭୦ କିଲୋମିଟର ଦୂରରେ ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ନିକଟରୁ ୩୩୦ କିଲୋମିଟର ଦୂରରେ ଅଛି । ଗତ ୬ ଘଣ୍ଟାରେ ବେଗ ରହିଛି ଘଣ୍ଟା ପ୍ରତି ୧୦ କିଲୋମିଟର ଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାଯାଇଛି । ଏହା ଆଜି ମଧ୍ୟରାତ୍ରିରେ ଗୋପାଳପୁର ଓ କଳିଙ୍ଗପଟନମ ଦେଇ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି।
ସୂଚନା ଯେ, ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତକାଲି ରାତି ପ୍ରାୟ ୮ଟାରେ ବାତ୍ୟା ରୂପ ନେବା ସହ ସ୍ଥଳ ଆଡ଼କୁ ମାଡ଼ି ଆସୁଥିଲା। ବାତ୍ୟା ରୂପ ନେବା ପରେ ସମୁଦ୍ର ଭିତରେ ପବନର ବେଗ ଘଣ୍ଟାପ୍ରତି ବେଗ ୬୫ରୁ ୭୫ କିମି ରହିଥିଲା। ଧୀରେ ଧୀରେ ଏହା ଅତି ଭୀଷଣ ରୂପ ଧାରଣ କରି ରବିବାର ପୂର୍ବାହ୍ନରେ ପବନର ବେଗ ୯୫ କିମି ଛୁଇଁବ। ତେବେ ସେତେବେଳକୁ ଏହା ସମୁଦ୍ର ମଧ୍ୟରେ ହିଁ ଥିବ। ରବିବାର ସନ୍ଧ୍ୟାରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଓ ଦକ୍ଷିଣ ଓଡ଼ିଶାର ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ସେତେବେଳେ ବି ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ରହିବା ସହ ସ୍ଥଳ ବିଶେଷରେ ୯୫ କିମି ଛୁଇଁବ। ଲ୍ୟାଣ୍ଡଫଲ ସମୟରେ ଶ୍ରୀକାକୁଲମ ବିଜୟନଗରମ୍ ଏବଂ ଗଞ୍ଜାମ ଉପକୂଳରେ ସମୁଦ୍ର ଜୁଆରିଆ ରହିବ । ସମୁଦ୍ର ଢେଉ ଅଧମିଟର ପର୍ଯ୍ୟନ୍ତ ଉଠିବ । ଏହାର ପ୍ରଭାବରେ ଆନ୍ଧ୍ର ଏବଂ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡିଶାର ୭ ଜିଲ୍ଲାରେ ଏହାର ପ୍ରଭାବ ଅଧିକ ପଡିବ। ସମ୍ଭାବିତ ବାତ୍ୟା ନେଇ ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଂଗପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳକୁ ସତର୍କ ସୂଚନା ଜାରି କରିଛି । ଗଞ୍ଜାମ ଏବଂ ଗଜପତି ପାଇଁ ପ୍ରବଳ ବର୍ଷା ନେଇ ସର୍ବାଧିକ ଆଲର୍ଟ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପାରଦ୍ବୀପ, ଗୋପାଳପୁର, ଧାମରା ଆଦି ବନ୍ଦରରେ ୩ ନଂ. ବିପଦ ସଙ୍କେତ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଏସଆରସି। ପ୍ରଭାବିତ ଜିଲ୍ଲାରେ ଏନଡିଆରଏଫ , ଓଡ୍ରାଫ ଏବଂ ଫାୟାର ଟିମ୍ ମୁତୟନ ହୋଇଛନ୍ତି। ଓଡ୍ରାଫରେ ୪୨ ଓ ଏନ୍ ଡିଆର୍ ଏଫ୍ ରେ ୨୪ଟି ଦଳ ମୁତୟନ ହୋଇଛନ୍ତି। ଗଜପତିର ୧୫ଟି ଗାଁର ୫୮୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପୂର୍ବତନ ରେଳୱେ ୨୬ଏବଂ ୨୭ ତାରିଖ ଲାଗି ୨୮ଟି ଟ୍ରେନ୍ ବାତିଲ କରାଯାଇଛି । ୭ଟି ଜିଲାର ଜିଲାପାଳ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏସଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
