ବାଲେଶ୍ୱର : ବ୍ରାଉନସୁଗାର ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତି ଲାଗି ସ୍ଟିଏଫ୍ ଟିମର ଖୋଳତାଡ଼
ବାଲେଶ୍ୱର : ବାଲେଶ୍ୱର ଜିଲା ଉପାନ୍ତ ଜଳେଶ୍ୱରରେ ଧଳାଜହର କାରବାର ଦିନକୁ ଦିନ ବଢୁଥିବା ବେଳେ ଅବକାରୀ କିମ୍ବା ଏସ୍ଟିଏଫ ତାର ମୂଳ ଉତ୍ପାଟନ କରିପାରୁ ନାହିଁ । ଫଳରେ ବ୍ରାଉନସୁଗାର ଧଳା ଜହର ଚୋରା ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟ ସମଗ୍ର ଓଡ଼ିଶାରେ ଚଳାଇ ଆସୁଥିବାରୁ ପ୍ରଶାସନ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏସ୍ଟିଏଫ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ।
ଘଟଣାରୁ ପ୍ରକାଶ ଜଳେଶ୍ୱରର କୁଖ୍ୟାତ ଧଳାଜହର ବ୍ୟବସାୟୀ ସେଖ୍ ସମୀରୁଦ୍ଦିନ ଓରଫ ଟାକୁଲୁ ରାଜା ତାର ନିଶାକାରବାର ସୁଦୁର ବାଂଲାଦେଶ ଓ ପଶ୍ଚିମବଙ୍ଗରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଳାଇ ଆସୁଥିଲା । ତା’ ନାମରେ ବହୁ ଅଭିଯୋଗ ଥିଲେ ମଧ୍ୟ ସେ ଫେରାର ହୋଇ ନିଶାକାର ଚଳାଉଥିଲା । କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିବା ସହିତ ନିଜ ନାମରେ ଓ ସମ୍ପର୍କୀୟଙ୍କ ନାମରେ ବହୁ ସମ୍ପତ୍ତି କିଣିଥିବା ଏସ୍ଟିଏଫ ଜାଣିବାକୁ ପାଇଥିଲା । ଗିରଫ ଭୟରେ ଗତ ଏପ୍ରିଲମାସରେ ବାଲେଶ୍ୱର ସ୍ୱତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରିବା ପରେ ସେ ଏବେ ଜେଲରେ ରହିଛି । ଏସ୍ଟିଏଫ୍ ଟିମ୍ ଜଳେଶ୍ୱର ସବ୍ରେଜେଷ୍ଟ୍ରି ଅଫିସ୍ରେ ପହଂଚି ତାର ପତ୍ନୀ, ପରିବାର ସଦସ୍ୟଙ୍କ ନାମିତ ରାଜପୁର ଓ ଝାଡ଼େଶ୍ୱରପୁର ମୌଜାରେ ଥିବା କୋଟି କୋଟି ଟଙ୍କାର ସମ୍ପତ୍ତି ର ଦଲିଲ ବାହାର କରି ଖୋଳତାଡ଼ ଆରମ୍ଭ କରିଛି । ଏହି ଖବର ପ୍ରଚାରିତ ହେବାପରେ ନିଶାବେପାରୀ ମନରେ ଛନକା ପଶିଛି ।
