ବାଘ ଛାଲ ବିକ୍ରି ବେଳେ ମାଡି ବସିଲା ଏସଟିଏଫ, ଜଣେ ଗିରଫ
ବଲାଙ୍ଗୀର : ଏସଟିଏଫ ଜାଲରେ ବାଘ ଛାଲ ବ୍ୟବସାୟୀ । ସଇଁତଳା ଟିକ୍ରପଡ଼ା ରାସ୍ତାରେ ବାଘଛାଲ ବିକ୍ରି ବେଳେ ମାଡିବସିଲା ଏସଟିଏଫ । କଲରାପତରିଆ ଚିତାବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ବଲାଙ୍ଗୀର ଜିଲା ସଇଁତଳା ଟିକ୍ରପଡ଼ା ରାସ୍ତାରେ ଜଣେ ବ୍ୟକ୍ତି ଏହି ଛାଲ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଏନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଚଢାଉ କରିଥିଲା । ଏହାପରେ ଅଭିଯୁକ୍ତ ଠାରୁ ଗୋଟିଏ କଲରାପତରିଆ ଚିତା ବାଘର ଚମଡା ଜବତ କରିଥିଲା । ଗିରଫ ଅଭିଯୁକ୍ତ ଜଣକ ଆଦିକାନ୍ତ ଘିୱାଲା ବୋଲି ଜଣାପଡିଛି । ସେହିପରି ସେ ବଲାଙ୍ଗୀର ଦୁକେଲ ଗ୍ରାମର ହୋଇଥିବା ବେଳେ କେବେଠୁ ଓ କେମିତି ଏହି କାରବାର କରିଥିଲା ତାହାର ଏବେ ଖୋଳତାଡ଼ କରୁଛି ବଲାଙ୍ଗୀର ବନ ବିଭାଗ । ସୂଚନା ଅନୁଯାୟୀ, ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୨୮ଟି କଲରାପତରିଆ ବାଘ ଛାତ ଜବତ ହୋଇଛି। ୨୪ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୩ଟି ବଜ୍ରକାପ୍ତା ଜବତ ହୋଇଛି। ବେଆଇନ ବନ୍ୟଜନ୍ତୁ କାରବାରରେ ୬୮ଜଣଙ୍କୁ ଗିରଫ କରାଯାଇଛି।
