ଚୋରା କୋଇଲା ଟ୍ରକ୍ ମାଲିକ ଅଦାଲତ ଚାଲାଣ
କୋରାଇ : ଜବତ ଚୋରା କୋଇଲା ଗାଡ଼ିର ମାଲିକକୁ ଆଜି ପାଣିକୋଇଲି ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି । ଗତ ୪ ତାରିଖ ରାଜପଥରେ ବେଆଇନ ଭାବେ ଚୋରା କୋଇଲା ଗାଡ଼ି ଚାଲାଣ ହେଉଥିବା ଖବର ପାଇ ପାଣିକୋଇଲି ପୁଲିସ ଯାଂଚ ସମୟରେ ତାଳଚେରରୁ ଆସୁଥିବା ଏକ ଏକ କୋଇଲା ବୋଝେଇ ଟ୍ରକ(ଓଡି ୩୫ ଜି ୦୫୨୫)କୁ ଜବତ କରିଥିଲା । ଜବତ ପରେ ଏନେଇ ଅଧିକ ତଦନ୍ତ ଆବଶ୍ୟକତା ଥିବରୁ ପୁଲିସ ଗାଡ଼ିଟିକୁ ଅଟକ ରଖି ତଦନ୍ତ ଜାରି ରଖିବା ପରେ ଶେଷରେ ଏହା ବେଆଇନ ଚାଲାଣ ବୋଲି ଜଣାପଡ଼ିଥିଲା । ଏନେଇ ଏକ ମାମଲା ୩୦୪/୨୨ ରୁଜ୍ଜୁ କରାଯାଇ ଚାଳକଙ୍କୁ ଅଟକ ରଖାଯାଇ ପରେ ଅଦାଲତ ଚାଲାଣ କରାଯାଇଥିଲା । ଏହାକୁ ନେଇ ତଦନ୍ତ ଜାରି ରହିଥିବାବେଳେ ଟ୍ରକ୍ ମାଲିକ ତାଳଚେର ସଦର ଥାନା ଅନ୍ତର୍ଗତ ରେମୁନା ଗ୍ରାମର ଡମ୍ବରୁ ଶୀଖଙ୍କ ପୁଅ ସନ୍ତୋଷ କୁମାର ଶୀଖ(୪୭)କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ଆଜି ଦଫା ୩୭୯, ୪୧୧, ୩୪ ଆଇପିସି, ୨୧ ଏମ୍ଏମ୍ଡିଆର୍ ଆକ୍ଟ, ୧୨ ଅଫ୍ ଓଡ଼ିଶା ମିନେରାଲ ପ୍ରିଭେନସନ ଥେପ୍ଟ ଆକ୍ଟରେ ସନ୍ତୋଷକୁ ଅଦାଲତ ଚାଲାଣ କରାଯାଇଥିବା ତଦନ୍ତାଧିକାରୀ ସବ୍ଇନ୍ସପେକ୍ଟର ପ୍ରକାଶ କୁମାର ପ୍ରଧାନଙ୍କ ସୂତ୍ରରୁ ପ୍ରକାଶ ।
