ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୮ତମ ପ୍ରତିଷ୍ଠା ଦିବସ
BHUBANESWAR, SEP 14 (UNI):- State Forest and Environment Minister Bikram Keshari Arukha releasing a publication during 38th Foundation Day Celebration of State Pollution Control Board, in Bhubaneswar on Tuesday. UNI PHOTO-87U
- ଅଧିକ କ୍ରିୟାଶୀଳ ଓ ଦକ୍ଷ ହେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର : ମାନବ ସମାଜର ସ୍ୱାସ୍ଥ୍ୟରକ୍ଷା ଓ ସାମଗ୍ରିକ ବିକାଶ ପାଇଁ ଆଜି ସମଗ୍ର ବିଶ୍ୱରେ ପ୍ରଦୂଷଣ ନିୟନ୍ତ୍ରଣ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ପ୍ରଦୂଷଣ କମାଇବା ପାଇଁ ପ୍ରତିକାର ଏବଂ ହ୍ରାସ ସମ୍ବନ୍ଧୀୟ ବ୍ୟବସ୍ଥା ହେଉଛି ପ୍ରମୁଖ ଅସ୍ତ୍ର । ରାଜ୍ୟ ସରକାର ଏଥି ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅଧିକ କ୍ଷମତାପନ୍ନ ଓ କ୍ରିୟାଶୀଳ କରିଛନ୍ତି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।
ଆଜି ପୂର୍ବାହ୍ନରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ମିଳନୀ କକ୍ଷରେ ବୋର୍ଡର ୩୮ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ ୧୯୮୩ ମସିହାରେ ଗଠିତ ହୋଇଥିବା ଏହି ବୋର୍ଡ ଦୀର୍ଘ ୩୭ ବର୍ଷ ଧରି ଜଳ, ବାୟୁ ଓ ପରିବେଶଜନିତ ପ୍ରଦୂଷଣକୁ ଯଥାସମ୍ଭବ ହ୍ରାସ କରାଇବା ପାଇଁ ସାରା ରାଜ୍ୟରେ ତା’ର କାର୍ଯ୍ୟ ଜାରି ରଖିଛି । ବୋର୍ଡ ଦ୍ୱାରା ବିଭିନ୍ନ ବର୍ଜ୍ୟ ପରିଚାଳନା ସହିତ ରାଜ୍ୟର ବିଭିନ୍ନ ଶିଳ୍ପାଂଚଳ ଓ ଗୁରୁତ୍ୱପୂର୍ଣ୍ଣ ସହରାଂଚଳରେ ବାୟୁ ପ୍ରଦୂଷଣର ପ୍ରତିକାର ପାଇଁ କାର୍ଯ୍ୟ କରାଯାଉଛି । ପାରାଦୀପଠାରୁ ଧାମରା ପର୍ଯ୍ୟନ୍ତ ସମୁଦ୍ର ଜଳ, କେତେକ ପ୍ରମୁଖ ନଦୀ ଜଳର ଗୁଣାତ୍ମକ ମାନକୁ ବୋର୍ଡ ଦ୍ୱାରା ଯାଂଚ କରାଯାଉଛି । ମହାନଦୀର ଉଭୟ ପାଶ୍ୱର୍ର ସୁରକ୍ଷା ଏବଂ ସବୁଜ ବଳୟ ସୃଷ୍ଟି ପାଇଁ ସବୁଜ ମହାନଦୀ ମିଶନ କାର୍ଯ୍ୟକାରୀ ହୋଇଛି ।
ମନ୍ତ୍ରୀ ଶ୍ରୀ ଆରୁଖ ଆହୁରି ମଧ୍ୟ କହିଲେ ଯେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଜ୍ଞାନିକ ତଥା ଇଂଜିନିୟରମାନେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରି ଆମ ପାଇଁ ଗୌରବ ଆଣି ଦେଇଛନ୍ତି । ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍ୱଚ୍ଛତା ମାନକ କ୍ଷେତ୍ରରେ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବୋର୍ଡର ଅଧ୍ୟକ୍ଷ ଏବଂ ସମସ୍ତ କର୍ମକର୍ତାଙ୍କୁ ମନ୍ତ୍ରୀ ଶ୍ରୀ ଆରୁଖ ଅଭିନନ୍ଦନ ଜଣାଇଥିଲେ । ବୋର୍ଡକୁ ଅଧିକ କ୍ରିୟାଶୀଳ କରିବା ପାଇଁ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ଓ ସେମାନଙ୍କ ଦ୍ୱାରା ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ବୋର୍ଡର ସମସ୍ତ ବୈଜ୍ଞାନିକ, ଇଂଜିନିୟର ଏବଂ କର୍ମଚାରୀଙ୍କ ନିଷ୍ଠା ଓ ଆନ୍ତରିକତା ବଳରେ ରାଜ୍ୟରେ ପ୍ରଦୂଷଣର ପ୍ରତିକୂଳ ପ୍ରଭାବ ନିଶ୍ଚିତ ରୂପେ ହ୍ରାସ ପାଇବ ଏବଂ ଆଗାମୀ ବଂଶଧରମାନେ ଏକ ସୁସ୍ଥ ବାତାବରଣ ମଧ୍ୟରେ ଜୀବନଧାରଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ମତବ୍ୟକ୍ତ କରିଥିଲେ ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଜଳ ଏବଂ ବାୟୁ ପ୍ରଦୂଷଣ ନିୟନ୍ତ୍ରଣରୁ କାର୍ଯ୍ୟ ଆରମ୍ଭ କରିଥିବା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଇତି ମଧ୍ୟରେ ନିଜର କାର୍ଯ୍ୟ ପରିସରକୁ ପରିବ୍ୟାପ୍ତ କରିଛି । କଠିନ ବର୍ଜ୍ୟବସ୍ତୁ ପରିଚାଳନା, ମେଡିକାଲ ବର୍ଜ୍ୟ ପରିଚାଳନା, ଜଳ ଓ ବାୟୁ ପ୍ରଦୁଷଣ ବିଷୟରେ ବାସ୍ତବ ତଥ୍ୟ ସଂଗ୍ରହ, ଜନସାଧାରଣଙ୍କୁ ପ୍ରଦୂଷଣ ସମ୍ବନ୍ଧିତ ବାସ୍ତବ ସୂଚନା ପ୍ରଦାନ ଆଦି କ୍ଷେତ୍ରରେ ବୋର୍ଡ ନିଜର ଦକ୍ଷତା ପ୍ରମାଣ କରିଛି । ବିଭିନ୍ନ ସେବା ପ୍ରଦାନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଏବଂ ଢାଂଚାଗତ ପରିବର୍ତନରେ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବେଶ୍ ଆଗୁଆ ରହିଛି । ଆଗାମୀ ଦିନରେ ଏହି ସମସ୍ତ ପ୍ରଚେଷ୍ଟାକୁ ଅଧିକ ଲକ୍ଷ୍ୟଭେଦୀ ଓ ଫଳପ୍ରସୂ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜଳବାୟୁ ପରିବର୍ତନର ପ୍ରତିକୂଳ ପ୍ରଭାବକୁ ଯଥାସମ୍ଭବ କମ୍ କରିବା ଦିଗରେ ବୋର୍ଡର ନିଷ୍ଠାପର ଉଦ୍ୟମ ରହିଆସିଛି ବୋଲି ଜଙ୍ଗ ଲ , ପରିବେ ଶ ଓ ଜଳବାୟୁ ପରିବର୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ମତବ୍ୟକ୍ତ କରିଥିଲେ । ପୁରୀ ବେଳାଭୂମିକୁ ପରିଷ୍କାର-ପରିଚ୍ଛନ୍ନ କରି ବ୍ଲୁଫ୍ଲାଗ୍ ବେଳାଭୂମିରେ ପରିଣତ କରିବା ବୋର୍ଡ ପାଇଁ ଏକ ଗୌରବର ବିଷୟ ବୋଲି ଉଲ୍ଲେଖ କରି ସମଗ୍ର ଦେଶରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଜି ଶ୍ରେଷ୍ଠ ସ୍ଥାନରେ ଅଛି ଏବଂ ଆଗାମୀ ଦିନରେ ବୋର୍ଡର କାର୍ଯ୍ୟ ପରିସର ଅଧିକ ବ୍ୟାପକ ହେବ ବୋଲି ସେ କହିଥିଲେ ।
ସମାରୋହ ପ୍ରାରମ୍ଭରେ ବୋର୍ଡର ସଦସ୍ୟ ସଚିବ ଡ. କେ. ମୁରୁଗାସନ୍ ବୋର୍ଡର କାର୍ଯ୍ୟାବଳୀ ସଂପର୍କରେ ଆଲୋକପାତ କରିଥିଲେ । ପରିବେଶ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ସୁଶାନ୍ତ ନନ୍ଦ ବୋର୍ଡର ସଫଳତା ଏବଂ କାର୍ଯ୍ୟବଳୀ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ପରିବେଶ ସମାଚାର ନିୟୁଜ ଲେଟର ସମେତ ଅନ୍ୟାନ୍ୟ ପ୍ରକାଶନର ଉନ୍ମୋଚନ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ଦ୍ୱାରା ମନୋନିତ ଶିଳ୍ପ, ଖଣି ଏବଂ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନକୁ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ପରିବେଶ ଇଂଜିନିୟର ଡ. ଏନ୍.ଆର. ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷରେ ବୋର୍ଡର ଅତିରିକ୍ତ ପ୍ରଶାସନିକ ଅଧିକାରୀ ଦେବଦତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
