ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସହାୟକ ମୃତ୍ୟୁ ଘଟଣା : ତଦନ୍ତ ନେଇ ସ୍ଵତନ୍ତ୍ର ଟିମ ଗଠନ କଲା ପୋଲିସ
ପୁରୀ : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣା । ଘଟଣାର ତଦନ୍ତ ନେଇ ସ୍ଵତନ୍ତ୍ର ଟିମ ଗଠନ କଲା ପୋଲିସ। ଚିତ୍ତରଞ୍ଜନ ପଲେଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛି ପୁରୀ ପୋଲିସ ।
ସଞ୍ଜୟ ଦାସ ବର୍ମାଙ୍କ ପିଏଙ୍କ ମୃତ୍ୟୁ ଘଟଣାରେ ପୁରୀ ଅତିରିକ୍ତ ଏସପି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ କହିଛନ୍ତି ଘଟଣାର ତଦନ୍ତ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ସେ ନିଜେ ଏହି ଟିମର ମୁଖ୍ୟ ରହି ଘଟଣାର ତଦନ୍ତ କରୁଛନ୍ତି। ପୁରୀ ଏସପି ମଧ୍ୟ ଘଟଣାସ୍ଥଳ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ଜଗା ନାମକ ଏକ ଯୁବକକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ମୃତକଙ୍କ ପରିବାର ଲୋକ ସିଧାସଳଖ ଜଗାକୁ ଏଥିପାଇଁ ଦାୟୀ କରି ସେ ହିଁ ହତ୍ୟା କରିଥିବା ଅଭିଯୋଗ ରେ ଦର୍ଶାଇଛନ୍ତି । ତେବେ ବିଭିନ୍ନ ଦିଗକୁ ଅନୁଧ୍ୟାନ ପରେ ଏ ନେଇ ପୋଲିସ ହତ୍ୟା ମାମଲା ରୁଜୁ କରିଛି।
ତେବେ ପୂର୍ବରୁ ମୃତକ ଚିତ୍ତରଞ୍ଜନ ଓ ଜଗା ମଧ୍ୟରେ କିଛି ଟଙ୍କା କାରବାର ନେଇ ଗଣ୍ଡଗୋଳ ଘଟିଥିବା ବେଳେ ଏହା ହିଁ ମୁଖ୍ୟ କାରଣ ବୋଲି ସନ୍ଦେହ କରାଯାଉଛି। ତେବେ ପୋଲିସର କହିବା ଘଟଣାକୁ ନେଇ ବିଭିନ୍ନ ଦିଗକୁ ତଦନ୍ତ ଚାଲୁ ରହିଛି । ଏଣୁ ତଦନ୍ତ ଚାଲିଥିବା ବେଳେ କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ନେଇ କହିବା ଠିକ ନୁହେଁ ବୋଲି ପୋଲିସ କହିଛି। ସେହିପରି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ଏହି ମୃତ୍ୟୁ ପଛରେ ହାତ ଥିବା ମୃତକଙ୍କ ପତ୍ନୀ ଅଭିଯୋଗ ନେଇ ପୋଲିସ ପ୍ରତିକ୍ରିୟା ରଖିଛି । ପୋଲିସର କହିବା କଥା ଏହି ଅଭିଯୋଗ ପୋଲିସକୁ କରାଯାଇ ନାହିଁ। ତେବେ ପୋଲିସ ସବୁ ଦିଗକୁ ତଦନ୍ତ କରୁଛି। ଯେ କେହିବି ଏହି ଘଟଣାରେ ସଂପୃକ୍ତ ଥିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।
