୧୮ରୁ ବାଲେଶ୍ୱରରେ ରାଜ୍ୟସ୍ତରୀୟ ବଲ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା
୨୫ ଜିଲାରୁ ଅଂଶଗ୍ରହଣ କରିବେ ୪୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ
ବାଲେଶ୍ୱର : ବାଲେଶ୍ୱର ଜିଲା ବଲ ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ୩୦ତମ ରାଜ୍ୟସ୍ତରୀୟ ସିନିଅର ବର୍ଗର୍ ବଲ ବ୍ୟାଡମିଣ୍ଟନ ଚମ୍ପିଆନ୍ସିପ୍ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ôଚଛି । ସହର ଉପକଣ୍ଠ ଶ୍ରୀନିକ୍ସ କଲେଜ ଅଫ ଇଞ୍ଜିନିୟରିଂ ପରିସରରେ ହେବାକୁ ଥିବା ଏହି ଚମ୍ପିଆନ୍ସିପ୍ର ରୂପରେଖ ସମ୍ପର୍କରେ ଆସୋସିଏସନର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଶ୍ରୀନିକ୍ସ କଲେଜ ଅଫ ଇଞ୍ଜିନିୟରିଂର ଅଧ୍ୟକ୍ଷ ଡ. ଯଶୋବନ୍ତ କୁମାର ମହାନ୍ତି, ବାଲେଶ୍ୱର ଜିଲା ବଲ ବ୍ୟାଡମିଣ୍ଟନ ଆସୋସିଏସନର ସମ୍ପାଦକ ସତ୍ୟନାରାୟଣ ଦାସ, ସହ-ସମ୍ପାଦକ ପ୍ରକାଶ ମହାନ୍ତି ଓ ଚନ୍ଦନ କୁମାର ଦାସ, କାର୍ଯ୍ୟକାରିଣୀ ସଦସ୍ୟ ତଥା ଜାତୀୟସ୍ତରୀୟ ରେଫେରୀ ବିଶ୍ୱଜିତ ପଣ୍ଡା ଏବଂ କୋଷାଧ୍ୟକ୍ଷ ତଥା ଜାତୀୟସ୍ତରୀୟ ରେଫେରୀ ଫାଗୁରାମ ମାରାଣ୍ଡି ପ୍ରମୁଖ ଯୋଗଦେଇ ୧୮ ତାରିଖରୁ ଆରମ୍ଭ ହେଉଥିବା ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ କହିଥିଲେ ।
୧୭ ତାରିଖରେ ଓଡ଼ିଶାର ୨୫ଟି ଜିଲାରୁ ଉଭୟ ମହିଳା ଓ ପୁରୁଷ ଦଳରେ ୪୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ବାଲେଶ୍ୱରରେ ପହଞ୍ôଚ ପଞ୍ଜୀକରଣ କରିବେ । ସମସ୍ତ ଖେଳାଳିଙ୍କ ପାଇଁ ଶ୍ରୀନିକ୍ସ କଲେଜ ଅଫ ଇଞ୍ଜିନିୟରିଂରେ ସେମାନଙ୍କ ରହଣି ବ୍ୟବସ୍ଥା ହୋଇଛି । ୧୮ ତାରିଖ ସକାଳେ ଏହି ଚମ୍ପିଆନ୍ସିପ୍ ଉଦ୍ଘାଟନ ହେବ । ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଗେମ ସହ ସେମିଫାଇନାଲ ମ୍ୟାଚ୍ ପରେ ୨୦ ତାରିଖ ଦିନ ଉଭୟ ପୁରୁଷ ଓ ମହିଳା ବର୍ଗର ଫାଇନାଲ ମ୍ୟାଚ ଖେଳାଯିବ । ତାମିଲନାଡୁର ତାଞ୍ଜାଭୁର ଠାରେ ୧୮୫୭ ମସିହାରେ ଆରମ୍ଭ ହୋଇଥିବା ବଲ ବ୍ୟାଡମିଣ୍ଟନ ଭାରତର ଗୋଟିଏ ପୁରାତନ ଖେଳ ହୋଇଥିବା ବେଳେ ୧୯୬୦ ମସିହା ଠାରୁ ଏହା ଭାରତ ସରକାରଙ୍କ ଦ୍ୱାରା ମାନ୍ୟତା ପାଇଛି । ମାତ୍ର ପ୍ରଚାର ପ୍ରସାର ଅଭାବରୁ ଏହି ଖେଳ ସେତେଟା ଲୋକପ୍ରିୟତା ହାସଲ କରିପାରିନଥିବା ବେଳେ ବାଲେଶ୍ୱର ଠାରେ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ଚମ୍ପିଆନ୍ସିପ୍କୁ ସଫଳ କରିବା ପାଇଁ କର୍ମକର୍ତ୍ତାମାନେ ଆହ୍ୱାନ ଦେଇଛନ୍ତି । ଏହି ଚମ୍ପିଆନ୍ସିପ୍ରୁ ମନୋନୀତ ଶ୍ରେଷ୍ଠ ଖେଳାଳିମାନେ ଆସନ୍ତା ଡିସେମ୍ବର ୨୫ରୁ କେରଳର କୋଲାମ ଜିଲାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଚମ୍ପିଆନ୍ସିପ୍ରେ ଅଂଶଗ୍ରହଣ କରିବେ ବୋଲି ବାଲେଶ୍ୱର ଜିଲା ବଲ ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ କୁହାଯାଇଛି । ଏଥିସହିତ ଏହି ଚମ୍ପିଆନ୍ସିପ୍ରେ ରାଜ୍ୟସ୍ତରୀୟ ରେଫେରୀ ଚୟନ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।
