ରୁପାରେ ଝଟକିବ ଶ୍ରୀମନ୍ଦିର ୭ ଦ୍ୱାର, ଶେଷ ପର୍ଯ୍ୟାୟରେ ଛାଉଣୀ କାର୍ଯ୍ୟ
ପୁରୀ : ଶ୍ରୀମନ୍ଦିରକୁ ବିଶ୍ୱସ୍ତରରେ ପରିଚିତ କରିବା ପାଇଁ ଅନେକ କାର୍ଯ୍ୟ ହାତକୁ ନିଆଯାଇଛି । ଏଏସଆଇର ଅନୁମୋଦନ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୮ଟି ଦ୍ୱାର ରୂପା ଛାଉଣୀ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ସୁଦ୍ଧା ୭ଟି ଦ୍ୱାରର ରୂପା ଛାଉଣୀ କାର୍ଯ୍ୟ ଶେଷ ହୋଇଛି । ନୃସିଂହ ମନ୍ଦିର, ମା ବିମଳା ମନ୍ଦିର, ମା ଲକ୍ଷ୍ମୀ ମନ୍ଦିର କବାଟ ଗୁଡ଼ିକ ରୂପା ଛାଉଣୀ ହେବା ସହ ବେହେରଣ ଦ୍ୱାର,ଜୟବିଜୟ ଦ୍ୱାର, ଭୋଗମଣ୍ଡପ ପଶ୍ଚିମପାଶ୍ୱର୍ ଦ୍ୱାର, ସାତପାହାଚ ଦ୍ୱାର କାମ ଶେଷ ହୋଇଛି । କେବଳ କଳାହାଟ ଦ୍ୱାରର ରୂପା ଛାଉଣୀ କାମ ବାକି ରହିଛି । ମୁମ୍ବାଇର କାରିଗରମାନେ ଏହି ରୂପା ଛାଉଣୀ କାର୍ଯ୍ୟ କରିଥିଲେ । ରୂପା କବାଟ ଉପରେ ରୂପା ପ୍ଲେଟ ସଂଯୋଗ କରାଯାଇଛି ।
ରୁପା ଛାଉଣୀ କାମ ପାଇଁ ଗଠିତ ହୋଇଛି ଦୁଇଟି କମିଟି । ଗୋଟିଏ କମିଟି ଦ୍ୱାର ବସାଇବା ଓ ରୁପାଛାଉଣି କାମର ତଦାରଖ କରୁଛି । ଅନ୍ୟ କମିଟିଟି ଇଞ୍ଜିନିୟର ଓ ସେବାୟତଙ୍କୁ ନେଇ ଗଠିତ ହୋଇଛି । ଏଥିରେ ବୈଷୟିକ କମିଟିରେ ଏଏସ୍ଆଇର ବରିଷ୍ଠ ଅଧିକାରୀମାନେ ରହିଛନ୍ତି । ଦ୍ୱାର ବସାଇବା ସମୟରେ ଯେଭଳି ଐତିହ୍ୟ ସୁରକ୍ଷା ପ୍ରତି ଆଞ୍ଚ ନଆସେ, ସେଥିଲାଗି ବୈଷୟିକ କମିଟି ଏଥିପ୍ରତି ଦୃଷ୍ଟି ଦେଇଛନ୍ତି । ମୁମ୍ବାଇର ଜନୈକ ଦାତା ଏ ସମସ୍ତ ରୁପା ଦାନସୂତ୍ରରେ ଯୋଗାଇଛନ୍ତି । ରୁପାଦ୍ୱାର ଛାଉଣୀ ପାଇଁ ୧୩୪୫ କେଜି ରୁପା ଦାନସୂତ୍ରରେ ମିଳିଛି । ତେବେ ପ୍ରାୟ ୨ ଟନ୍ ରୁପା ଏହି କାର୍ଯ୍ୟରେ ବ୍ୟବହୃତ ହୋଇଛି । ଶ୍ରୀମନ୍ଦିର ଚାରିଦ୍ୱାର ସହ ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ଦ୍ୱାରକୁ ରୁପା ଛାଉଣୀ କରିବା ପାଇଁ ଯୋଜନା ରହିଛି ବୋଲି ସେବାୟତ ମତବ୍ୟକ୍ତ କରିଛନ୍ତି ।
