ସେପ୍ଟେମ୍ବର ପହିଲାରୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର
ଭୁବନେଶ୍ୱର : ଭକ୍ତଙ୍କ ପାଇଁ ଖୋଲିବ ଭଗବାନଙ୍କ ଦ୍ବାର। ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଯାଇ ଦିଅଁ ଦର୍ଶନ କରିପାରିବେ। ଆସନ୍ତା ସେପ୍ଟେମ୍ବର ପହିଲା ତଥା ୧ ତାରିଖ ଠାରୁ ଖୋଲିବାକୁ ଯାଉଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର । ମନ୍ଦିର ଭିତରେ ଏବଂ ପରିସରରେ ଶ୍ରଦ୍ଧାଳୁମାନେ କୋଭିଡ କଟକଣାକୁ ବାଧ୍ୟତାମୂଳକ ଭାବେ ପାଳନ କରିବେ। କୋଭିଡ-୧୯ର ୨ ଡୋଜ୍ ନେଇଥିବା ଭକ୍ତ କେବଳ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। କୋଭିଡ କଟକଣା କଡ଼ାକଡ଼ି କରିବାକୁ ପ୍ରଶାସନର ନିର୍ଦ୍ଦେଶ ହୋଇଛି। ଶ୍ରଦ୍ଧାଳୁମାନେ ଗର୍ଭଗୃହ ଭିତରକୁ ପ୍ରବେଶ କରିପାରିବେ ନାହିଁ। ଭୁବନେଶ୍ୱରରେ କରୋନା ସଂକ୍ରମଣ ପୂର୍ବାପେକ୍ଷା ସାଧାରଣ ହୋଇଥିବାରୁ ପ୍ରଶାସନ ତରଫରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଅଗଷ୍ଟ ମାସରେ ରାଜଧାନୀରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଚଳିତ ମାସ ଶେଷ ବେଳକୁ ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ହ୍ରାସ ପାଇଥିବ ବୋଲି ଆଶା କରାଯାଉଛି।
ମହାପ୍ରଭୁଙ୍କର ନୂଆ ରୂପାର ପ୍ରଭା, ପାଲିଙ୍କି ଓ ବିମାନ ତିଆରି କରିବାକୁ ନିଷ୍ପତ୍ତି ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବିଏମସିର କୋଭିଡ ନିର୍ଦ୍ଦେଶାବଳୀ ଆନୁଯାୟୀ ଶ୍ରୀ ଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ପହିଲାରୁ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ବୈଠକରେ ମହାପ୍ରଭୁଙ୍କର ରୂପାର ପ୍ରଭା, ନୂଆ ବିମାନ ଓ ନୂଆ ପାଲିଙ୍କି ତିଆରି କରିବାକୁ ନିଷ୍ପତ୍ତି କରାଯାଇଛି । ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ମା ଭୁବନେଶ୍ବରୀ, ମା ପାର୍ବତୀଙ୍କ ପାଇଁ ତିନି ଗୋଟି ରୂପାର ପ୍ରଭା ତିଆରି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ରୂପା ପ୍ରଭା ନିମନ୍ତେ ଆବଶ୍ୟକ ରୂପା ଓ ଆବଶ୍ୟକ ସମସ୍ତ ନିର୍ମାଣ ଖର୍ଚ୍ଚ ଭୁବନେଶ୍ବରର ଶ୍ରୀ ଶିବପ୍ରସାଦ ପଣ୍ଡା ଦେଇଥିବା ପ୍ରସ୍ତାବକୁ ଟ୍ରଷ୍ଟ ବୋର୍ଡ ଗ୍ରହଣ କରିଛନ୍ତି । ସେହିପରି ମହାପ୍ରଭୁଙ୍କର ଶତାଧିକ ବର୍ଷର ପୁରୁଣା ବିମାନ ଓ ପାଲିଙ୍କି ନୂଆ ତିଆରି କରିବା ପାଇଁ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ପାଲିଙ୍କି ଓ ବିମାନ ନିର୍ମାଣ କରିବାର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ସୋଆ ବିଶ୍ବ ବିଦ୍ୟାଳୟ ଦେଇଥିବା ପ୍ରସ୍ତାବକୁ ମଧ୍ୟ ଟ୍ରଷ୍ଟ ବୋର୍ଡ ଗ୍ରହଣ କରିଛନ୍ତି । ସୂଚନା ଯେ, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ୧୨ ମାସରେ ଅନୁଷ୍ଠିତ ୧୪ ଯାତ୍ରାରେ କେବଳ ଅଶୋକାଷ୍ଟମୀ ରଥଯାତ୍ରାକୁ ବାଦ ଦେଲେ, ଅନ୍ୟ ସମସ୍ତ ଯାତ୍ରାରେ ଶ୍ରୀ ଜିଉମାନେ ବିମାନ ଓ ପାଲିଙ୍କିରେ ଯାତ୍ରା କରିଥାନ୍ତି। ଏତଦ୍ବ୍ୟତୀତ ମହାଶିବରାତ୍ରୀ ଦିନ ଶ୍ରୀ ଲିଙ୍ଗରାଜ, ମା ପାର୍ବତୀ ଓ ମା ଭୁବନେଶ୍ବରୀ ପାଲିଙ୍କିରେ ମନ୍ଦିର ବେଢା ପରିକ୍ରମା କରିଥାନ୍ତି । ମହାପ୍ରଭୁଙ୍କ ସେବାରେ ଲାଗୁଥିବା ଏହି ବିମାନ, ପାଲିଙ୍କି ଓ ପ୍ରଭାର ନିର୍ମାଣ ଦାୟିତ୍ବ ନେଇଥିବାରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶ୍ରୀ ଶିବପ୍ରସାଦ ପଣ୍ଡା ଓ ସୋଆ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଶେଷ ଧନ୍ୟବାଦ ଦିଆଯାଇଛି ।
