ଦ୍ଵିତୀୟ ଟି-୨୦ : ୪ ଓ୍ଵିକେଟ୍ରେ ଜିତିଲା ଶ୍ରୀଲଙ୍କା
- ୩ ବର୍ଷ ପରେ ପ୍ରଥମଥର ପାଇଁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ମ୍ୟାଚରେ ପରାସ୍ତ ହେଲା ଭାରତ
- ଟି-୨୦ ସିରିଜ୍ ୧-୧ରେ ବରାବର
କଲୋମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ର ଦ୍ଵିତୀୟ ମୁକବିଲା ବୁଧବାର ଖେଳାଯିବ। କଲମ୍ବୋ ସ୍ଥିତ ଆର ପ୍ରେମଦାସା ଷ୍ଟାଡ଼ିୟମରେ ୮ ଖେଳାଳିଙ୍କ ବିନା ନବାଗତ ଦଳକୁ ନେଇ ପଡିଆକୁ ଓହ୍ଲାଇଲା ଭାରତୀୟ ଦଳ। ହେଲେ ଏହାର ଚାପ ସମ୍ଭାଳି ପାରିଲାନି ଟିମ୍ ଇଣ୍ଡିଆ। ଦ୍ଵିତୀୟ ମୁକାବିଲାରେ ଶ୍ରୀଲଙ୍କାଠୁ ପରାଜିତ ହେଲା। କଲୋମ୍ଵୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକର ଦ୍ଵିତୀୟ ଟି-୨୦ ମ୍ୟାଚ୍ରେ ଶ୍ରୀଲଙ୍କା ଧନଞ୍ଜୟ ଡି ସିଲଭାଙ୍କ ଅପରାଜିତ ୪୦ ରନ ଇନିଂସ ବଳରେ ଭ୍ରମଣକାରୀ ଭାରତକୁ ୪ ଓ୍ଵିକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଶ୍ରୀଲଙ୍କା ତିନି ମ୍ୟାଚ୍ର ଟି-୨୦ ସିରିଜ୍କୁ ୧-୧ ସମାନ ସ୍ତରକୁ ଆଣିବାରେ ସଫଳ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୩୨ ରନ କରିଥିଲା। ଭାରତ ପକ୍ଷରୁ ଶିଖର ଧାଓ୍ଵନ ସର୍ବାଧିକ ୪୦ ରନ କରିଥିଲେ। ଜବାବରେ ଶ୍ରୀଲଙ୍କା ୧୯.୪ ଓଭରରେ ୬ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଧନଞ୍ଜୟ ଡି ସିଲଭା ଅପରାଜିତ ୪୦ ରନର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ସିରିଜ୍ର ନିର୍ଣ୍ଣାୟକ ତଥା ଅନ୍ତିମ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ।
୧୩୩ ରନର ପିଛା କରିଥିବା ଶ୍ରୀଲଙ୍କାର ବ୍ୟାଟସମ୍ୟାନକୁ ଭାରତର ସ୍ପିନର ବାନ୍ଧି ରଖିଥିଲେ। ୧୨ ରନ ସ୍କୋରରେ ଅଭିଷ୍କା ଫର୍ଣ୍ଣାଡୋ(୧୧)ଙ୍କୁ ଭୁବନେଶ୍ଵର କୁମାର ଆଉଟ୍ କରିଥିଲେ। ସଦିରା ସମରାବିକ୍ରମା(୮)ଙ୍କୁ ଆଉଟ୍ କରି ବରୁଣ ଚକ୍ରବର୍ତ୍ତୀ ଆଉଟ୍ କରି ଦ୍ଵିତୀୟ ସଫଳତା ଦେଇଥିଲେ। ଦାସୁନ ଶନାଙ୍କା(୩) ଓ ଓ୍ଵାନିନ୍ଦୁ ହସରଙ୍ଗା(୧୫) ପାଭିଲିୟନ ଫେରିଥିଲେ। ୯୪ ରନରେ ୫ ଓ୍ଵିକେଟ୍ ହରାଇବା ପରେ ଶ୍ରୀଲଙ୍କା ମ୍ୟାଚ୍ରେ ବ୍ୟାକଫୁଟ୍ରେ ଥିଲା। ହେଲେ ଧନଞ୍ଜୟ ଡି ସିଲଭା କ୍ରିଜରେ ଜମି ରହି ଦଳର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ୧୦୫ ରନ ସ୍କୋରରେ ରମେଶ ମେଣ୍ଡିସ୍(୨) ଆଉଟ୍ ହୋଇଥିଲେ। ଲାଗୁଥିଲା ଭାରତୀୟ ଦଳ ମ୍ୟାଚ୍ ଜିତିଯିବ। କିନ୍ତୁ ଡି ସିଲଭା ଓ ଚମିରା କରୁଣାରତ୍ନେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ସିଲଭା ୩୪ ବଲ୍ରୁ ୧ ଚୌକା ଓ ୧ ଛକା ସହ ୪୦ ରନର ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ଚାମିକା କରୁଣାରତ୍ନେ ୬ ବଲ୍ରୁ ୧୨ ରନର ଦ୍ରୁତ ବ୍ୟାଟିଂ କରିଥିଲେ। ଶ୍ରୀଲଙ୍କା ୧୯.୪ ଓଭରରେ ୧୩୩ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଭାରତୀୟ ଦଳ ପକ୍ଷରୁ କୁଲଦୀପ ଯାଦବ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଭୁବନେଶ୍ଵର କୁମାର, ରାହୁଲ ଚହର, ବରୁଣ ଚକ୍ରବର୍ତ୍ତୀ ଓ ଚେତନ ସକାରିଆ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
