ଆର୍ଥିକ ସଙ୍କଟରେ ଶ୍ରୀଲଙ୍କା! ୯୦ କୋଟି ଡଲାରର ଋଣ ଦେବ ଭାରତ
ନୂଆଦିଲ୍ଲୀ : ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶ ଦେବାଳିଆ ସ୍ଥିତିକୁ ଚାଲି ଯାଇଛି। ବିଦେଶରୁ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ପାଇଁ ରାଜକୋଷ ଖାଲି ପଡିଛି। ଏମିତି ଘଡିସନ୍ଧି ମୁହୂର୍ତ୍ତରେ ସହାୟତାର ହାତ ବଢାଇଛି ଭାରତ। ୯୦ କୋଟି ଡଲାରର ଋଣ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଭାରତର ଏହି ସାହାଯ୍ୟ ଶ୍ରୀଲଙ୍କାର ଅର୍ଥନୀତି ପାଇଁ ସଞ୍ଜିବନୀ ପାଲଟିଛି। ଶ୍ରୀଲଙ୍କାର ପ୍ରମୁଖ ଅର୍ଥଶାସ୍ତ୍ରୀ ଏବଂ ଶ୍ରୀଲଙ୍କାର ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ଡେପୁଟୀ ଗଭର୍ଣ୍ଣର ଡବ୍ଲ୍ୟୁଏ ବିଜେବର୍ଦ୍ଧନେ ଭାରତର ଏହି ସହାୟତାକୁ ବେଶ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭାରତ ପକ୍ଷରୁ ଏହି ଆର୍ଥିକ ସହାୟତା ବର୍ତ୍ତମାନ ଶ୍ରୀଲଙ୍କାର ଡୁବୁଥିବା ଅର୍ଥବ୍ୟବସ୍ଥାକୁ ବଞ୍ଚାଇ ଦେଇଛି। ଏଥିସହ ସେ ଶ୍ରୀଲଙ୍କାର ସଙ୍କଟଜନଜ ଆର୍ଥିକ ସ୍ଥିତିକୁ ନେଇ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି।
ଶ୍ରୀଲଙ୍କାର ବିଦେଶୀ ମୁଦ୍ରା ଭଣ୍ଡାର ପ୍ରାୟତଃ ଖାଲି ହୋଇ ଯାଇଛି। ଆଉ ଦେଶ ଦେବାଳିଆ ହେବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି। ଶନିବାର ଅର୍ଥଶାସ୍ତ୍ରୀ ବିଜେବର୍ଦ୍ଧନେ ରାଷ୍ଟ୍ରପତିଙ୍କୁ ଚେତାବନୀ ଦେଇ କହିଛନ୍ତି, ବିଦେଶୀ ମୁଦ୍ରାର ଘୋର ଅଭାବ କାରଣରୁ ଶ୍ରୀଲଙ୍କାକୁ ତତ୍କାଳ ଅନ୍ତର୍ଜାତୀୟ ମୁଦ୍ରା କୋଷରୁ ଋଣ ନେବାର ଆବଶ୍ୟକତା ରହିଛି। ଶ୍ରୀଲଙ୍କାର ବିଦେଶୀ ମୁଦ୍ରା ଭଣ୍ଡାର ପ୍ରାୟତଃ ସମାପ୍ତ ହୋଇ ସାରିଛି ଏବଂ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ବସ୍ତୁର ଘୋର ଅଭାବ ଲାଗି ରହିଛି। ଫଳରେ ଦେଶରେ ମହଙ୍ଗାଇ ଚରମରେ ରହିଛି। ସ୍ଥିତିର ମୁକାବିଲା ପାଇଁ ଭାରତ ଗୁରୁବାର ୯୦ କୋଟି ଡଲାର ଋଣ ଶ୍ରୀଲଙ୍କାକୁ ଦେବାକୁ ଘୋଷଣା କରିଛି। ଶ୍ରୀଲଙ୍କାରେ ଭାରତୀୟ ଉଚ୍ଚାୟୋଗ ଗୋପାଳ ବାଗଲେ ସେଣ୍ଟ୍ରାଲ ବ୍ୟାଙ୍କର ଗଭର୍ଣ୍ଣର ଅଜିତ୍ ନିଓ୍ଵାର୍ଡଙ୍କୁ ଭେଟିଛନ୍ତି ଏବଂ ଆର୍ଥିକ ସହାୟତା ଦେବା କଥା କହିଛନ୍ତି। ଭାରତୀୟ ଉଚ୍ଚାୟୋଗ ପକ୍ଷରୁ ଏକ ଟ୍ଵିଟ୍ ମଧ୍ୟ କରାଯାଇଛି। ବିଜେବର୍ଦ୍ଧନେ କହିଛନ୍ତି, ଭାରତର ଆର୍ଥିକ ପ୍ୟାକେଜ୍ ଜାନୁଆରୀ ୧୮ରେ ଅନ୍ତର୍ଜାତୀୟ ସଭରେନ ବଣ୍ଡର ମୁକାବିଲା ପରେ ଆଗାମୀ ଆର୍ଥିକ ସଙ୍କଟକକୁ ଟାଳି ଦେଇଛି। ଏଥିସହ ଦେଶର ମୁଦ୍ରା କୋଷର ସୁଧାରରେ ବେଶ ସହାୟକ ହୋଇଛି। ରିଜେବର୍ଦ୍ଧନେ କହିଛନ୍ତି, ଭାରତ ଠିକ୍ ସମୟରେ ସହାୟତା ଦ୍ଵାରା ଶ୍ରୀଲଙ୍କା ସରକାରଙ୍କୁ ଦୁଇ ମାସର ଆଶ୍ଵସ୍ତି ମିଳିଛି।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, କୋଭିଡ୍-୧୯ ମହାମାରୀରୁ ଉତ୍ପନ ଆର୍ଥିକ ସମସ୍ୟା ଏବଂ ଅନ୍ୟ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତ ଯଥା ସମ୍ଭବ ସହାୟତା ଶ୍ରୀଲଙ୍କାକୁ ଦେବା ଜାରି ରଖିବ। ଜୟଶଙ୍କର ଶ୍ରୀଲଙ୍କାର ଅର୍ଥ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଘନିଷ୍ଠ ବନ୍ଧୁ ଏବଂ ସମୁଦ୍ରର ପଡୋଶୀ ଦେଶ ଭାରତ ଏବଂ ଶ୍ରୀଲଙ୍କା ଉଭୟ ଆର୍ଥିକ ସମ୍ବନ୍ଧରୁ ଲାଭ ଉଠାଇବାକୁ ପ୍ରସ୍ତୁତ।
