ଘରୋଇ କ୍ରିକେଟରୁ ଶ୍ରୀସନ୍ଥଙ୍କ ସନ୍ନ୍ୟାସ ଘୋଷଣା
ନୂଆଦିଲ୍ଲୀ : ୨୦୦୭ ଟି-୨୦ ବିଶ୍ୱ କପ୍ ଏବଂ ୨୦୧୧ ବିଶ୍ୱ କପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଏସ ଶ୍ରୀସନ୍ଥ ପେଶାଦାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଶ୍ରୀସନ୍ଥ ନିକଟରେ ରଣଜୀ ଟ୍ରଫିରେ କେରଳ ପକ୍ଷରୁ ଖେଳୁଥିଲେ । ଆହତ ହେବା ପରେ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଥିଲା । ଏଥର ଆଇପିଏଲ ୨୦୨୨ ନିଲାମୀରେ ତାଙ୍କୁ କୌଣସି ଫ୍ରାଂଚାଇଜି କିଣିନଥିଲେ ।
ଶ୍ରୀସନ୍ଥ ସାମାଜିକ ଗଣମାଧ୍ୟମରେ ନିଜର ଅବସର ଘୋଷଣା ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ମୁଁ ପରବର୍ତୀ ପିଢିର କ୍ରିକେଟ୍ରଙ୍କ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍?ରୁ ଅଲବିଦା ନେବାକୁ ନିଷ୍ପତି ନେଇଛି । ଏହା ମୋ ବ୍ୟକ୍ତିଗତ ନିର୍ଣ୍ଣୟ । ମୁଁ ଜାଣିଛି ଯେ, ଏଥିରେ ମୋତେ ଖୁସି ମିଳିବ ନାହିଁ । ମାତ୍ର ଏହି ନିର୍ଣ୍ଣୟ ନେବା ପାଇଁ ଏହା ଉପଯୁକ୍ତ ସମୟ । ମୁଁ ଜୀବନର ପ୍ରତିଟି ସମୟର ଆନନ୍ଦ ନେଇଥିବା ଏହି ପୂର୍ବତନ ଭାରତୀୟ ଖେଳାଳି କହିଛନ୍ତି । ଶ୍ରୀସନ୍ଥ ଭାରତ ପାଇଁ ୨୭ ଟେଷ୍ଟ ଏବଂ ୫୩ଟି ଦିନିକିଆ ଖେଳି କ୍ରମଶଃ ୮୭ ଏବଂ ୭୫ ୱିକେଟ୍ ନେଇଛନ୍ତି । ଏଥିସହ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୦ଟି ମ୍ୟାଚ୍ ଖେଳି ୭ ୱିକେଟ୍ ନେଇଛନ୍ତି । ଶ୍ରୀସନ୍ଥଙ୍କ ଉପରେ ମ୍ୟାଚ୍ ଫିକ୍ସିଂ କାରଣରୁ ୨୦୧୩ରୁ ଆଜୀବନ କଟକଣା ଲଗାଯାଇଥିଲା । ମାତ୍ର ଦୁଇ ବର୍ଷ ପରେ ସ୍ୱତନ୍ତ୍ର କୋର୍ଟ ଶ୍ରୀସନ୍ଥଙ୍କୁ ମୁକ୍ତ କରିଥିଲେ । ଏହା ପରେ ୨୦୧୯ରେ ବିସିସିଆଇର ଲୋକପାଳ ଡିକେ ଜୈନ ମଧ୍ୟ ତାଙ୍କର ପ୍ରତିବନ୍ଧକୁ ହ୍ରାସ କରି ୭ ବର୍ଷ କରିଥିଲେ । ଯାହା ୨୦୨୦ରେ ସମାପ୍ତ ହୋଇଥିଲା ।
